କୋଇଡ଼ା ଗୁଳିକାଣ୍ଡର ତଦନ୍ତ

ଟେନ୍‌ସା, ୨୮।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ମାଲଦାରେ ରବିବାର ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ଜାରି ରହିଛି। ସୋମବାର ରାଉରକେଲାରୁ ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧନୀ କୁକୁର ଆସି ଅଧିକ ତଦନ୍ତ ଜାରି ରହିଛି। ଘଟଣା ସ୍ଥଳରେ ଗୋଟିଏ ଜୀବନ୍ତ ଗୁଳି, ତିନୋଟି ଖୋକା, ଗୋଟିଏ ଫୁଟିଥିବା ବୁଲେଟ ଜବତ ହୋଇଛି। ଗୁଳିମାଡ଼ରେ ଢାବା ମାଲିକ ରମେଶ ଚତମ୍ବା (୨୭)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହଯୋଗୀ ରାମ ପୂର୍ତ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଯୋଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାରୁ ପ୍ରକାଶ ଯେ, ରମେଶ ଓ ତାହାର ପରିବାର ହୋଟେଲ ବନ୍ଦ କରି ମାଘେ ପରବ ମନେଇବାକୁ ଓରାଘାଟ ଯାଇଥିଲେ। ରବିବାର ସା ସମୟରେ ହୋଟେଲକୁ ଫେରିଥିଲେ। ରାତି ୯ଟାରେ ଦୁଇ ଜଣ ପଲସର ବାଇକ୍‌ରେ ଆସି ଖାଇବାକୁ ମାଗି ଥିଲେ। ହୋଟେଲରେ ଖାଦ୍ୟ ରନ୍ଧା ହୋଇ ନ ଥିବାରୁ ମନା କରିବାରୁ ଉକ୍ତ ଦୁର୍ବୁତ୍ତ ଗୁଳିମାରି ଚାଲିଯାଇଥିଲେ। ରମେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରମେଶଙ୍କ ୨ଟି ସନ୍ତାନ ଅଛନ୍ତି। ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ନିଜ ଗାଁ ଝାଡ଼ଖଣ୍ଡର ଝିଙ୍କପାଣିକୁ ନିଆଯାଇଛି। ଘଟଣାସ୍ଥଳରେ କୋଇଡ଼ା ଥାନା ପୋଲିସ ପହଞ୍ଚତ୍ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Share