ଦୀର୍ଘ ଦିନର କଟକଣା ପରେ କାଲିଠୁ ଖୋଲିବ ଧବଳେଶ୍ୱରଙ୍କ ପୀଠ

କଟକ ଅଫିସ, ୭।୧: ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ଶୁକ୍ରବାରଠାରୁ ଖୋଲିବ। କରୋନା କଟକଣା ମଧ୍ୟରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ। ଏ ନେଇ ଗୁରୁବାର ଆଠଗଡ଼ ଉପଜିଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମେ ପୂଜକ ପରିବାର ଦର୍ଶନ କରିବେ, ପରେ ୯ ଓ ୧୦ରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ । ୧୧ରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ଦର୍ଶନ ସମୟରେ ମନ୍ଦିର ଭିତରେ କରୋନା କଟକଣାକୁ କଡାକଡି ରୂପେ ପାଳନ କରାଯିବ। ଏକା ଥରକେ ୫୦ରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇପାରିବେ ନାହିଁ। ୬ ଫୁଟର ଦୂରତା ରଖି ଭକ୍ତ ଦର୍ଶନ କରିବେ। ଏଥିସହ ସାନିଟାଇଜ ଓ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ଉପଜିଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।

Share