ରାଜନଗର,୧।୧୧(ଭାସ୍କର ରାଉତରାୟ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ଗହୀରମଥା ସାମୁଦ୍ରିକ କଇଁଛ ଅଲିଭ ରିଡ୍ଲେଙ୍କ ତୀର୍ଥସ୍ଥଳୀ। ଅତିଥି ଅଲିଭ ରିଡ୍ଲେ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମକରି ଗହୀରମଥାର ନିଷିଦ୍ଧ ଜଳରାଶିରେ ପାଦ ଥାପିବେ। ଆସୁଥିବା ଆଗନ୍ତୁକ ଅତିଥି ଅଲିଭ ରିଡ୍ଲେ ସୁରକ୍ଷା ଓ ନିରାପଦ ପ୍ରଜନନ ପ୍ରକ୍ରିୟାକୁ ଆଖି ଆଗରେ ରଖି ଧାମରାଠାରୁ ଦେବୀମୁହାଣ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ବ୍ୟାପକ କଟକଣା ବ୍ୟବସ୍ଥା କରାଯାଉଛି। ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ୧୬୦ କି.ମି. ପର୍ଯ୍ୟନ୍ତ ଲାଗିବ କଟକଣା। ନଭେମ୍ବର ୧ରୁ ମେ ୩୧ ଯାଏ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଦ୍ଧାଜ୍ଞା ଥିବାବେଳେ କଇଁଛ ଋତୁ ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳଠାରୁ ୨୦ କି.ମି. ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହ ମାଛଧରା ଉପରେ କଟକଣା ଜାରି କରାଯାଇଛି ବୋଲି ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ଏଥିସହ ଏହି ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ୨ଟି ଅଫିସର ଓ ୧୪ଟି ସ୍ଥାନରେ ଟ୍ରଟଲ୍ ପ୍ରୋଟେକ୍ସନ୍ କ୍ୟାମ୍ପ କରାଯିବ।
ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରିବେ। ସ୍ମରଣଯୋଗ୍ୟ, ୧୯୭୪ ରେ ଆମେରିକାର ବିଶିଷ୍ଟ ପ୍ରାଣୀବିଜ୍ଞାନୀ ଡ. ଏଚ୍.ଆର୍.ବଷ୍ଟାର୍ଡ ଭିତରକନିକାର ବଉଳା କୁମ୍ଭୀରମାନଙ୍କ ଉପରେ ଗବେଷଣା କରିବାକୁ ଆସି ଗହୀରମଥାର ଏହି ବିରଳ କଇଁଛ ସମାଗମ ସ୍ଥଳ ଦେଖି ଏହା ଅଲିଭ ରିଡ୍ଲେ ପ୍ରଜାତିର ବୋଲି ଚିହ୍ନଟ କରିଥିଲେ। ପରେ ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ ଓ କଟକଣା ଲାଗୁ କରାଯାଇଛି। ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ରାଜ୍ୟର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା, ୧୯୯୩ରେ ଓଡ଼ିଶା ମେରାଇନ୍ ଫିସ୍ ରିଜୋଲ୍ୟୁଶନ୍ ଆକ୍ଟ ୧୯୮୧ ଅନୁସାରେ ଗହୀରମଥାକୁ ନୋ ଫିଶିଂ ଜୋନ୍ ଘୋଷଣା, ସମୁଦ୍ର କୂଳଠାରୁ ୨୦ କି.ମି. ଯାଏଁ ମେଶିନ ଡଙ୍ଗା ବା ଟ୍ରଲର ସାହାଯ୍ୟରେ ମାଛଧରା ନିଷେଧ, କଇଁଛଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨, ପରିବେଶ ସୁରକ୍ଷା ଆଇନ ୧୯୮୬, କୋଷ୍ଟାଲ ରିଜୋଲ୍ୟୁଶନ୍ ଜୋନ ୧, ୨, ୩ ଏବଂ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଇନ ୧୯୮୨ ମଧ୍ୟ ରହିଛି।