ଧାମନଗର ଉପନିର୍ବାଚନ: ୧୩୪ ବୁଥ୍‌ର ନାମ ପରିବର୍ତ୍ତନ

ଭଦ୍ରକ ଅଫିସ, ୧୦ା୧୦: ଧାମନଗର ଉପ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ରାଜ୍ୟସ୍ତରୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ପ୍ରଶିକ୍ଷକ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଏବଂ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ। ଉପନିର୍ବାଚନ ପାଇଁ ଥିବା ସମୁଦାୟ ୨୫୨ଟି ବୁଥରୁ ୧୩୪ଟି ବୁଥ୍‌ର ନାମ ପରିବର୍ତ୍ତନ ନେଇ ରାଜନୈତିକ ଦଳମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳଙ୍କ ସହ ଅତିରିକ୍ତ ଜିଲାପାଳ ରାମଦାସ ଟୁଡ଼ୁ, ଉପଜିଲାପାଳ ମନୋଜ ପାତ୍ର ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ସ୍କୁଲ ମିଶ୍ରଣ ଓ କେତେକ ସ୍କୁଲର ଉନ୍ନୀତକରଣ ଯୋଗୁ ସ୍କୁଲଗୁଡ଼ିକର ନାମ ପରିବର୍ତ୍ତନ ହୋଇଥିବାରୁ ବୁଥ୍‌ଗୁଡ଼ିକର ମଧ୍ୟ ନାମ ପରିବର୍ତ୍ତନ କରାଯାଇଛି। ଏ ନେଇ ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share