ଧାମନଗର ଉପନିର୍ବାଚନ: ୩ ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଏବେ ସରଗରମ। ଶୁକ୍ରବାର ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରି ସାରିଥିବାବେଳେ ଶନିବାର ପ୍ରାର୍ଥିପତ୍ର ଯାଞ୍ଚ ରହିଛି। ଏବେ ଏହି ୩ ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ୮ଜଣ ମନ୍ତ୍ରୀଙ୍କୁ ଦଳର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଥିବାବେଳେ ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ୩ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ। ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡାଇ, ଅଶ୍ୱନୀ ପାତ୍ର ଓ ରାଜେନ୍ଦ୍ର ଢୋଲକିଆ ସାମିଲ ଥିବାବେଳେ ବିଜେଡିର ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚାର ମୁଖିଆ ସାମିଲ ରହିବେ। ଏହାସହ ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଓଡ଼ିଶା ଭାଜପା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହପ୍ରଭାରୀ ସୁନୀଲ ବଂଶଲ, ବିଜୟପାଲ ସିଂ ତୋମର, ଏମ୍‌ପି ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ସମ୍ବିତ ପାତ୍ର ପ୍ରଚାର କରିବେ। ସେହିପରି କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ତାଲିକାରେ ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ଏମ୍‌ପି ସପ୍ତଗିରି ଉଲ୍ଲାକା, ଶରତ ରାଉତ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

Share