Categories: ଖେଳ

ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌, କମନୱେଲଥ ଗେମ୍ସ ପୂର୍ବରୁ ଭାରତକୁ ଝଟ୍‌କା…

ନୂଆଦିଲ୍ଲୀ,୨୦।୭ : ବର୍ମିଂହାମରେ ଖେଳାଯିବାକୁ ଥିବା କମନୱେଲଥ ଗେମ୍ସ ଆରମ୍ଭ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଷ୍ଟାର ସ୍ପ୍ରିଣ୍ଟର ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିଛି। ଏହି କାରଣରୁ, ଭାରତୀୟ ଆଥଲେଟିକ ଦଳର ୪x୧୦୦ ମିଟର ରିଲେରେ ପଦକ ଜିତିବାର ସମ୍ଭାବନା କ୍ଷୀଣ ହୋଇଯାଇଛି। ଗତ ବର୍ଷ ଧନଲକ୍ଷ୍ମୀ ୧୦୦ ମିଟର ଦୌଡ଼ରେ ଦୁତି ଚାନ୍ଦଙ୍କୁ ପରାସ୍ତ କରି ଚର୍ଚ୍ଚାରେ ରହିଥିଲେ। ଏହା ବ୍ୟତୀତ ଧନଲକ୍ଷ୍ମୀ ଗତ ମାସରେ ୨୦୦ ମିଟରରେ ହିମା ଦାସଙ୍କୁ ମଧ୍ୟ ପରାସ୍ତ କରିଥିଲେ।

ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ଡୋପ୍‌ ଟେଷ୍ଟ ପାଇଁ ଧନଲକ୍ଷ୍ମୀଙ୍କର ନମୁନା ଏଆଇୟୁ ଦ୍ୱାରା ନିଆଯାଇଥିଲା। ଧନଲକ୍ଷ୍ମୀଙ୍କ ନମୁନାରେ ଷ୍ଟେରଏଡ ମିଳିଛି। ଏହି କାରଣରୁ ଧନଲକ୍ଷ୍ମୀଙ୍କ ଉପରେ ନିଷେଧାଦେଶ ଲାଗୁ ହୋଇଛି। ସେ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହା ବ୍ୟତୀତ ଧନଲକ୍ଷ୍ମୀଙ୍କୁ ୟୁଗେନରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ମଧ୍ୟ ବାରଣ କରାଯାଇଛି। ଗତ ବର୍ଷ ଭାରତ ପକ୍ଷରୁ ଟୋକିଓ ଅଲିମ୍ପିକ୍ସରେ ଧନଲକ୍ଷ୍ମୀ ଯୋଗ ଦେଇଥିଲେ। ୪୦୦ ମିଟର ରିଲେ ଦୌଡ଼ରେ ଧନଲକ୍ଷ୍ମୀ ହିମା ଦାସ ଏବଂ ଦୁତି ଚାନ୍ଦଙ୍କ ସହ ଦଳରେ ସାମିଲ ହୋଇଥିଲେ।

ଧନଲକ୍ଷ୍ମୀ ୧୦୦ମିଟର ବର୍ଗରେ ରିଲେ ଦୌଡ଼ରେ ଭାରତ ପକ୍ଷରୁ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିବାର ଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଧନଲକ୍ଷ୍ମୀ ବିଶ୍ୱ ଚାମ୍ପିୟନଶିପ୍‌ ଅଂଶଗ୍ରହଣ କରିବାକୁ ଆମେରିକା ଯାଇ ନାହାଁନ୍ତି। ଚାମ୍ପିୟନଶିପ ଆୟୋଜକମାନେ ଧନଲକ୍ଷ୍ମୀଙ୍କ ନାମ ହଟାଇ ଦେଇଥିବା କୁହା ଯାଉଛି। ଏହା ସହିତ, ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଡୋପ ଟେଷ୍ଟରେ ପଜିଟିଭ ଥିବାରୁ ଧନଲକ୍ଷ୍ମୀଙ୍କୁ ବିଶ୍ୱ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇ ନାହିଁ।

 

Share