Categories: ଜାତୀୟ

୧୪ତମ ଉପରାଷ୍ଟ୍ରପତି ଭାବେ ଧନକର ନେବେ ଶପଥ…

ନୂଆଦିଲ୍ଲୀ, ୧୧।୮ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର ଗୁରୁବାର ଭାରତର ନୂତନ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟା ୪୫ରେ ରାଷ୍ଟ୍ରପତି ଭବନରେ ଜଗଦୀପ ଧନକରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ୭୧ ବର୍ଷିୟ ଧନକର ଏମ ଭେଙ୍କେୟା ନାଇଡୁଙ୍କ ସ୍ଥାନରେ ଦେଶର ନୂତନ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ଭାରତର ୧୪ ତମ ଉପରାଷ୍ଟ୍ରପତି ହେବେ। ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହୋଇଛି।

ସମ୍ପ୍ରତି ଉଭୟ ଲୋକ ସଭା ଓ ରାଜ୍ୟ ସଭାର ଅଧ୍ୟକ୍ଷମାନେ ରାଜସ୍ଥାନରୁ ଆସିଛନ୍ତି। ଉପରାଷ୍ଟ୍ରପତି ଧନକର ରାଜ୍ୟ ସଭାର ଅଧ୍ୟକ୍ଷ ହେବେ। ତାଙ୍କ ବାସସ୍ଥାନ ରାଜସ୍ଥାନର ଝୁଂଝୁନ୍‌ ଜିଲାରେ। ସେହିପରି ଲୋକ ସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ରାଜସ୍ଥାନର କୋଟାର ବାସିନ୍ଦା।

ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ଧନକର ଜଣେ ଆଇନଜୀବୀ । ରାଜସ୍ଥାନର ଜାଟ ସମ୍ପ୍ରଦାୟକୁ ଅନ୍ୟ ପଛୁଆ ଶ୍ରେଣୀ (ଓବିସି) ମାନ୍ୟତା ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ କେନ୍ଦ୍ରରେ କିଛି ଦିନ ଧରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ।

Share