କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ଚଳିତ ଖରିଫ ଋତୁରେ ୪୪ ହଜାରରୁ ଅଧିକ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଞ୍ଜିକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ୮୪,୮୦୮.୮୨ ମେଟ୍ରିକ ଟନ ବଳକା ଧାନ ଚାଷୀଙ୍କଠାରୁ କ୍ରୟ ହେବ। ଏଥିପାଇଁ ଆସନ୍ତା ଡିସେମ୍ବର ୨୮ରୁ ଜିଲାର ୧୧୮ ପାକ୍ସରେ ଧାନ ମଣ୍ଡି ଖୋଲାଯିବ। ପରେ ରବି ଫସଲର ମୁଗ ସଂଗ୍ରହ ହେବ ବୋଲି ଜିଲାସ୍ତରୀୟ ଖରିଫ ଧାନ କ୍ରୟ ବୈଠକରେ ଶୁକ୍ରବାର ନିଷ୍ପତ୍ତି ହୋଇଛି। ଜିଲା ପରିଷଦ ସମୟାନୁକକ୍ଷରେ ଏହି ବୈଠକ ଜିଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚଳିତ ଖରିଫ ଚାଷ ସମ୍ପର୍କରେ ଆଲୋଚନା ସହ ଧାନମଣ୍ଡି, ଚାଷୀ ନାମ ପଞ୍ଜୀକରଣ, ପରିବହନ, ଚାଷୀଙ୍କ ପ୍ରାପ୍ୟ ଆଦିର ସମୀକ୍ଷା ହୋଇଥିଲା। ଜିଲାରେ ଥିବା ପାକ୍ସ ମାଧ୍ୟମରେ ଧାନ କ୍ରୟ ହେଉଥିବାରୁ ଏହାର ଭିତ୍ତିଭୂମିର ପରୀକ୍ଷା ନିରୀକ୍ଷା ପାଇଁ ଆଲୋଚନା ହୋଇଥିଲା। ଜିଲାର ପ୍ରାୟ ୯୦ ପ୍ରତିଶତ ବଳକା ଧାନ କ୍ରୟ ହେବାକୁ ଥିବାରୁ ମାନ ନିର୍ଦ୍ଧାରଣ, ଯନ୍ତ୍ରର ମରାମତିକୁ ଗୁରୁତ୍ୱ ଦିଆଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରିବାକୁ ଜିଲାପାଳ ଋତୁରାଜ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଏଡିଏମ୍ ପୀତାମ୍ବର ସାମଲ, ଉପଜିଲାପାଳ ନିରଞ୍ଜନ ବେହେରା, ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସହ ଅନ୍ୟ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ।