ହୃଦୟ ଜିତିଲେ ଧନୁଷ

ହଲିଉଡରେ ଅନେକ ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଆନ୍ଥୋନୀ ଏବଂ ଜୋ ରୁଷୋ ଏବେ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ନିର୍ଦ୍ଦେଶକ ଯୋଡି ‘କ୍ୟାପଟେନ ଆମେରିକା: ଦି ଓ୍ବିଣ୍ଟର ସୋଲଜର’ ଠାରୁ ‘ଆଭେଞ୍ଜର୍ସ: ଏଣ୍ଡ ଗେମ’ ପର୍ଯ୍ୟନ୍ତ ଅନେକ ହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ଆନ୍ଥୋନୀ ଏବଂ ଜୋ ରୁଷୋଙ୍କ ହଲିଉଡ ଫିଲ୍ମ ‘ଦି ଗ୍ରେ ମ୍ୟାନ’ର ଆଲୋଚନା ବିଦେଶ ତଥା ଭାରତରେ ମଧ୍ୟ ଜୋରସୋରରେ ଚାଲିଛି କାରଣ ସାଉଥ ସୁପରଷ୍ଟାର ଧନୁଷ ଏହି ଫିଲ୍ମ ସହିତ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେଥିପାଇଁ ଦର୍ଶକ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ନିକଟରେ ଲସ୍‌ ଆଞ୍ଜେଲସରେ ଫିଲ୍ମର ପ୍ରିମିୟର୍‌ ପରେ ଜୁଲାଇ ୨୦ରେ ଭାରତରେ ଫିଲ୍ମର ଏକ ଗ୍ରାଣ୍ଡ ପ୍ରିମିୟର୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲିଉଡ ଇଣ୍ଡଷ୍ଟ୍ରିର ବଡ ବଡ ସେଲିବ୍ରିଟିମାନେ ଯୋଗ ଦେଇଥିଲେ।
ରିୟାନ ଗୋସଲିଂ, କ୍ରିସ ଇଭାନ୍ସଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଦି ଗ୍ରେ ମ୍ୟାନ’ର ପ୍ରିମିୟରରେ ନିର୍ଦ୍ଦେଶକ ଆନ୍ଥୋନୀ ଏବଂ ଜୋ ରୁଷୋଙ୍କ ସହ ଧନୁଷ ଉପସ୍ଥିତ ଥିଲେ। ପ୍ରିମିୟର୍‌ ପାଇଁ ଧନୁଷ ସୁଟ-ବୁଟ ଛାଡି ନିଜ ଦେଶର ସଂସ୍କୃତି ବାଛିଥିଲେ। ସେ ଧଳା ଅଧା ସ୍ଲିଭ ଶର୍ଟ, ଲୁଙ୍ଗି ଏବଂ ଚପଲ ପିନ୍ଧିଥିବାର ନଜର ଆସିଥିଲେ। ଧନୁଷଙ୍କୁ ଦେଖି ଫ୍ୟାନମାନେ ତାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।
ବଲିଉଡ ଅଭିନେତା ବିକି କୌଶଲ, ରଣଦୀପ ହୁଡା, ସିଦ୍ଧାର୍ଥ ରୟ କାପୁର, ବିଶାଲ ଭରଦ୍ୱାଜ, ଆନନ୍ଦ ଏଲ ରୟ, ବାବିଲ ଖାନ୍‌ ପ୍ରମୁଖ ପ୍ରିମିୟର ବେଳେ ଉପସ୍ଥିତ ଥିଲେ। ଏହି ଫିଲ୍ମ ଜୁଲାଇ ୨୨ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି।

Share