Advertisement

କଂସ ବଧ ସହ ସରିଲା ଧନୁଯାତ୍ରା

ମଥୁରାନଗରୀ,୭।୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଅନ୍ତିମ ଦିବସରେ କଂସ ବଧ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ସବୁଦିନ ଭଳି କଂସ ମହାରାଜ ମଥୁରା ଭ୍ରମଣ ସାରି ପାତ୍ରମନ୍ତ୍ରୀଙ୍କ ସହିତ ସ୍ଥାନୀୟ ଲୋକମଣ୍ଡପ ପଡ଼ିଆସ୍ଥିତ ରାଜଦରବାରରେ ପହଞ୍ଚତ୍ଥିଲେ। ସେଠାରେ ସେ ଶ୍ରୀକୃଷ୍ଣ, ବଳରାମଙ୍କୁ ହତ୍ୟା କରିବା ପାଇଁ ନିଜର ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କ ସହିତ ରଣକୌଶଳ ପ୍ରସ୍ତୁତ କରିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ ହାଟପଦା ମଞ୍ଚରେ ଶିବଧନୁ ଭଙ୍ଗ କରିଥିବାବେଳେ ତାଙ୍କ କରାଘାତରେ କୁବଳୟା ହସ୍ତୀ ପ୍ରାଣ ହରାଇଥିଲା। ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ ସେମାନେ ନିଶ୍ଚୟ ସକ୍ଷମ ହେବେ ବୋଲି କଂସ ମହାରାଜଙ୍କ ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଦରବାରରେ ନିଜ ପରାକ୍ରମ ଦେଖାଇଥିଲେ। କଂସ ମହାରାଜ ମଧ୍ୟ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ବେ ନିଜର ପରାକ୍ରମ ଦେଖାଇବାକୁ ରଣାଙ୍ଗନକୁ ଓହ୍ଲାଇଥିଲେ। କିନ୍ତୁ ଶେଷରେ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ଏବଂ ବଳରାମଙ୍କ ହଳ ମୁଦ୍‌ଗରରେ କଂସଙ୍କ ନିଧନ ହୋଇଥିଲା ଏବଂ ମହାରାଜା ଉଗ୍ରସେନଙ୍କ ପୁଣି ରାଜାଭିଷେକ ହୋଇଥିଲା। ଅନ୍ୟପକ୍ଷେ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗାରକୁ ଯାଇ ବନ୍ଦୀ ଥିବା ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲେ। ଏହାପରେ ମଥୁରାବାସୀ ବାଣ ଫୁଟାଇ ଏବଂ ଲଡ଼ୁ ବାଣ୍ଟି ଖୁସି ମନାଇଥିଲେ। ଶେଷରେ ଉଦ୍‌ଯାପନୀ ସମାରୋହ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ମୋନିଷା ବାନାର୍ଜୀ, ଉପସଭାପତି ତଥା ଏସ୍‌ପି ସ୍ମିତ୍‌ ପି. ପରମାର୍‌, ସମ୍ପାଦକ ସୁରେଶ୍ୱର ଶତପଥି ପ୍ରମୁଖ ଉଦ୍‌ଯାପନୀ ସମାରୋହରେ ଉପସ୍ଥିତ ଥିଲେ। ଅପରପକ୍ଷେ କଂସ ଅଭିନେତା ହୃଷୀକେଶ ଭୋଇ ପାପରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଥିଲେ। ଶନିବାର ସକାଳେ ସେ ପୁରୀରେ ପହଞ୍ଚତ୍ ମହୋଦଧିରେ ସ୍ନାନ ଓ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share