ଦେହରା,୨୨।୭: ହିମାଚଳ ପ୍ରଦେଶର କାଙ୍ଗଡା ଜିଲାରେ ଜ୍ୱାଳାମୁଖୀ ବିଧାନସଭା କ୍ଷେତ୍ରରେ ଥିବା ଗୁମ୍ମର ଗ୍ରାମରେ ଜଣେ ଗରିବ କୃଷକ ନିଜ ପିଲା ଅନଲାଇନ୍ ପାଠ ପଢିବା ପାଇଁ ଗାଈ ବିକି ଦେଇଛନ୍ତି। ଏହି ଟଙ୍କାରେ ସେ ପିଲାଙ୍କ ପାଇଁ ଏକ ସ୍ମାର୍ଟ ଫୋନ କିଣିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜ୍ୱାଳାମୁଖୀ ଭାଜପା ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ ରମେଶ ଧଓ୍ବାଲା କୃଷକଙ୍କ ଘରେ ପହଞ୍ଚି ତାଙ୍କୁ ମାତ୍ର ୨ ହଜାର ଟଙ୍କା ସହାୟତା ଦେଇଥିଲେ। ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସମାଜସେବୀ ସଞ୍ଜୟ ଶର୍ମା ପ୍ରଶ୍ନ ଉଠାଇ କହିଛନ୍ତି ବିଧାୟକ ଫର୍ଚୁନର ଗାଡି ଚଢି ଆସି ୨ ହଜାର ଟଙ୍କା ଦେବା କୃଷକଙ୍କ ପ୍ରତି ଉପହାସ। ସୂଚନାଯୋଗ୍ୟ, କୂଳଦୀପ ନାମ ଜଣେ କୃଷକ। ସ୍ତ୍ରୀଙ୍କ ସହ ଚାଷ କରିବା ସହ ପଶୁ ପାଳନ ମଧ୍ୟ କରନ୍ତି। ଲକ୍ଡାଉନ୍ ଯୋଗୁ ପିଲାମାନେ ଅନ୍ଲାଇନ୍ ପାଠ ପଢିବେ ବୋଲି ସରକାର ଘୋଷଣା କରିଥିଲେ। ତାଙ୍କ ଘରେ ସ୍ମାର୍ଟ ଫୋନ ନ ଥିବାରୁ ପିଲା କେମିତି ପାଠ ପଢିବେ ସେନେଇ କୂଳଦୀପ ଚିନ୍ତାରେ ପଡିଯାଇଥିଲେ। ଏଥିପାଇଁ ଘରେ ଥିବା ଏକ ଗାଈକୁ ବିକି ଦେଇ ଏକ ସ୍ମାର୍ଟ ଫୋନ କିଣିଥିଲେ। କୂଳଦୀପ ଆର୍ଥିକ ଅନାଟନରେ ଥିଲେ ମଧ୍ୟ କୌଣସି ସରକାରୀ ଯୋଜନାଗୁଡିକରେ ତାଙ୍କ ନାଁ ନାହିଁ। ଆଇଆରଡିପି କି ବିପିଏଏଲ୍ରେ ତାଙ୍କ ନାଁ ନାହିଁ। ତାଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି।
Posted inଜାତୀୟ