ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର,୩୦ା୮(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କୁମାରୀସ୍ଥିତ କାର୍ଯ୍ୟାଳୟ ଆଗରେ ଗୁଳି ଫୁଟିଛି। କେହି ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଛନ୍ତି। ଧର୍ମଶାଳା ପୋଲିସ ୨ଟି ଖୋକା ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି। ଏନେଇ ବିଧାୟକ ସାହୁ ଯାଜପୁର ଜିଲାପାଳ ଏବଂ ଏସ୍‌ପିଙ୍କୁ ତାଙ୍କ ସୁରକ୍ଷାକୁ କଡାକଡି କରିବାକୁ ନିବେଦନ କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣାର ୩ ମାସ ପରେ ବି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅଶାନ୍ତି ତେଜିବାରେ ଲାଗିଛି। ଜମି ଜବରଦଖଲ, ବେଆଇନ କଳାପଥର କାରବାର ଉପରେ ବିଧାୟକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ଆଲୋଚନା ହେଉଛି।
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ(ଜିତୁ) ଆଣିଥିବା ଅଭିଯୋଗ ଅନୁଯାୟୀ, ଜମି ଜବରଦଖଲ ଓ ଖଣି ଖାଦାନରୁ ଚାନ୍ଦା ଆଦାୟ କରୁଥିବା ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଅନ୍ୟପକ୍ଷେ ବିଧାୟକ ହିମାଂଶୁଙ୍କୁ ଧମକ ଦେବା ଓ ଘର ନିକଟରେ ଗୁଳି ଫୁଟାଇବା ଭଳି ଅଭିଯୋଗକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ମଙ୍ଗଳବାର ପୂର୍ବତନ ବିଧାୟକ ଜିତୁ ଓ ବିଧାୟକ ହିମାଂଶୁ ଖବରଦାତା ସମ୍ମିଳନୀ କରି ସରକାରୀ ଜମି ଜବରଦଖଲ ଓ କଳାପଥର ଖାଦାନ ଉପରେ ମତ ରଖିଥିଲେ। ଏହି ଘଟଣା ଦିନ ପୂର୍ବତନ ବିଧାୟକଙ୍କ କେତେଜଣ ସମର୍ଥକ ବିଧାୟକ ହିମାଂଶୁଙ୍କ କୁମାରୀସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ଚାନ୍ଦା ଦେବାକୁ ଧମକ ଦେଇଥିଲେ। ଏହାପରେ ସେମାନେ ବନ୍ଧୁକରୁ ଗୁଳିଚାଳନା କରିବା ପରେ ସେଠାରେ ଉପସ୍ଥିତ ଥିବା ଶରତ କୁମାର ଓଝା ଭୟଭୀତ ହୋଇ କାର୍ଯ୍ୟାଳୟ ଭିତରକୁ ଦୌଡ଼ି ଚାଲି ଯାଇଥିଲେ। ପରେ ଏ ଘଟଣାକୁ ନେଇ ବିଧାୟକଙ୍କ ସମର୍ଥକ ଶରତ କୁମାର ଓଝା ଧର୍ମଶାଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୬୪୬/୨୦୨୪) ରୁଜୁ କରି ତଦନ୍ତ ଚଳାଇଛି।