Categories: ଜାତୀୟ

‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପାଟନା,୩୧।୫: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗର୍ଲ’ ଜ୍ୟୋତି ପାସଓ୍ବାନଙ୍କ ପିତା ମୋହନ ପାସଓ୍ବାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୦ ଦିନ ତଳେ ମୋହନଙ୍କ କକାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଶ୍ରାଦ୍ଧ ଓ ଭୋଜି ପାଇଁ ସମାଜର ଲୋକଙ୍କ ସହ ମୋହନ ଏକ ବୈଠକ କରିଥିଲେ। ବୈଠକ ଶେଷ ହେବା ପରେ ମୋହନ ଠିଆ ହେଉ ହେଉ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ ଗତ ବର୍ଷ କରୋନା କାଳରେ ୧୩ ବର୍ଷୀୟ ଜ୍ୟୋତି ନିଜ ପିତାଙ୍କୁ ସାଇକେଲରେ ବସାଇ ଗୁଡଗାଓଁରୁ ଦରଭଙ୍ଗା ଜିଲା ସିଂହଓ୍ବାଡ଼ା ବ୍ଲକର ସିରହୁଲି ଗାଁକୁ ଆଣିଥିଲେ। ଜ୍ୟୋତିଙ୍କ ଏହି ଯାତ୍ରା ୮ଦିନର ଥିଲା। ଏହି କାର୍ଯ୍ୟ ପାଇଁ ସେହି ସମୟରେ ଜ୍ୟୋତି ପ୍ରଶଂସିତ ହେବା ସହ ବେଶ୍‌ ଚର୍ଚ୍ଚା ମଧ୍ୟ ସାଉଁଟିଥିଲେ। ଏଥିପାଇଁ ତାଙ୍କୁ ସାଇକେଲ ଗର୍ଲ ବୋଲି ମଧ୍ୟ ଆଖ୍ୟା ଦିଆଯାଇଥିଲା।

Share