‘ଧରିତ୍ରୀ ଖବରକାଗଜ ଯୁବପିଢ଼ିଙ୍କ ପାଇଁ ଜ୍ଞାନର ଭଣ୍ଡାର’

ମାଲକାନଗିରି,୬ା୭(ଦୁର୍ଯ୍ୟୋଧନ ପାତ୍ର/ନୃସିଂହ ମହାନ୍ତି): ‘ଧରିତ୍ରୀ’ ଖବରକାଗଜର ୫୦ ବର୍ଷ ଅବସରରେ ମାଲକାନଗିରି ଜିଲା ସଦରମହକୁମା ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଓ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ଦୁଇ ଶହ ଛାତ୍ରୀ ଓ ଅତିଥିମାନଙ୍କ ଉପସ୍ଥିତିରେ ୧୦ ଜଣ ଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଷୟବସ୍ତୁ ଥିଲା ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି। ଅତିଥି ଏବଂ ପ୍ରତିଯୋଗୀମାନେ ଧରିତ୍ରୀ ଖବରକାଗଜ ପଚାଶ ବର୍ଷ ପାଳନକୁ ଶୁଭେଚ୍ଛା ଜଣାଇବା ସହ ଅନ୍ତର୍ଜାତୀୟ, ଜାତୀୟ, ରାଜ୍ୟ କୋଣ ଅନୁକୋଣର ଖବର ପ୍ରସାରଣ ସହ କୃଷି ସ୍ବାସ୍ଥ୍ୟ, ବିଜ୍ଞାନ,ଗଳ୍ପ, ସାହିତ୍ୟ ଆଦିକୁ ଧରିତ୍ରୀ ପ୍ରାଧାନ୍ୟ ଦେଇ ଯୁବପିଢ଼ିଙ୍କୁ ଉତ୍ସାହିତ କରିଛି। ଏଥିସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିଥିବାରୁ ଏହାକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ପ୍ରମିଳା ମାଝି, ସମ୍ମାନିତ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା, ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଶୋଇଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା/ଅଧ୍ୟାପକ,  ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା ପ୍ରତିନିଧି ଦୁର୍ଯ୍ୟୋଧନ ପାତ୍ର ପରିଚାଳନା କରିଥିବା ବେଳେ ଜିଲା ପ୍ରତିନିଧି ନୃସିଂହ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Share