ସରୁନି ଧରାକୋଟ-ଜାନବିଲି ରାସ୍ତା ନିର୍ମାଣ

ଧରାକୋଟ,୧୨ା୬ (ଡି.ଏନ୍‌.ଏ): ଧରାକୋଟ-ଜାନବିଲି ୫ କିମି ରାସ୍ତା ସଂପ୍ରତି ନିର୍ମାଣ ଚାଲିଛି। ଦୀର୍ଘଦିନ ହେଲା ଠିକାଦାର ଅଧପନ୍ତରିଆ ଭାବରେ ଛାଡ଼ିଦେଇ ଚାଲିଯାଇଛନ୍ତି। ବାରମ୍ବାର ଅଭିଯୋଗ ପରେ ବିଭାଗ ତରଫରୁ ଠିକାଦାରଙ୍କୁ ତୁରନ୍ତ ନିମାଣ କାର୍ଯ୍ୟ ଆରମ୍ଭ ପାଇଁ ଚିଠି ଲେଖାଯାଇଛି। ହେଲେ ଏହା ମଧ୍ୟରେ ନୂତନ ଭାବେ ନିର୍ମାଣ କରାଯାଇଥିବା ପିଚୁ ରାସ୍ତା ଭରିଯାନ ଚଳାଚଳ ଯୋଗୁଁ ଧସିଯାଇଛି। ଏଣୁ ନିମ୍ନମାନର ନିର୍ମାଣ କାର୍ଯ୍ୟ ସହ ରାସ୍ତାର ସ୍ଥାୟିତ୍ୱ ନ଼େଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧିନରେ ରହିଛି ଧରାକୋଟ-ଜାନବିଲି ରାସ୍ତା । ଏହି ରାସ୍ତା ନର୍ମାଣ କାର୍ଯ୍ୟ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହେବା ପରେ ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ୫ କିମି ରାସ୍ତା ଅଧାପନ୍ତରିଆ ଭାବେ ଦୀର୍ଘ ଦିନ ହେଲା ପଡିରହିଛି। ମେଡିକାଲ ଠାରୁ ଥାନା ପର୍ଯ୍ୟନ୍ତ ପ୍ରାୟ ୫ ଶହ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି । ହେଲେ ଥାନା ସମ୍ମୁଖରେ ଗୋଲେଇ ଛକ ଭାରି ଯାନ ଚଳାଚଳ ଯୋଗୁଁ ଧସିଯାଇଛି । ନିର୍ମାଣର ଏକ ମାସ ଯାଇନି ରାସ୍ତା ଧସି ନଷ୍ଟ ହୋଇଗଲାଣି। ସୋରଡା ପୂର୍ତ୍ତ ବିଭାଗ ଉପଖଣ୍ଡ ସହ ବଡଗଡ ସେକ୍ସନର ପଦାଧିକାରୀ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ହେଲେ ରାସ୍ତା କାହିଁକି ଧସିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ସଦ୍ୟ ନିର୍ମିତ ରାସ୍ତାର ଗୋଲେଇ ଛକ ଅଂଶ ସଂକୀର୍ଣ୍ଣ ହୋଇଥିବାରୁ ଅଧିକ ଭାର ନେଇ ଯାଉଥିବା ଗାଡ଼ି ଚାପରେ ଧସିଯାଇଛି । ଏହାର ପୁନଃ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପଟରେ ଦୀର୍ଘ ଦୁଇମାସରୁ ଅଧିକ ସମୟ ହେଲା ବ୍ରିଜ ଠାରୁ ନେଳିଆ ବନ୍ଧ ପର୍ଯ୍ୟନ୍ତ ୧୫୦୦ ମିଟର ରାସ୍ତା ମେଟାଲିଙ୍ଗ କରି ଛାଡ଼ି ଦିଆଯାଇଛି। ପିଚୁ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ରାସ୍ତା ସାରା ମେଟାଲ ଉଠିଯାଇ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଏଣୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।