ଦୁଇଥର ବିବାହ ପରେ ବି ଏହି ୨୭ ବର୍ଷ ସାନ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର, ହେମାମାଳିନୀ ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଛି ଧର୍ମେନ୍ଦ୍ରଙ୍କ ନାମ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେ ଅଭିନେତ୍ରୀ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। କଥା ଆଗକୁ ବଢ଼ିବା ପରେ ଉଭୟ ବିବାହ କରିନେଇଥିଲେ। ହେଲେ ସେଇଠି ଧର୍ମେନ୍ଦ୍ରଙ୍କ ରଙ୍ଗୀଲା ମିଜାଜ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ି ନ ଥିଲା। ସେ ପୁଣି ଅଶୀ ଦଶକର ଲୋକପ୍ରିୟ ଅଭିନେତ୍ରୀ ଅନିତା ରାଜଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳ ସମୟରେ ଏହି ନୂଆ ପ୍ରେମକାହାଣୀ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଅନିତାଙ୍କ ସହ ଏକାଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର। ଶୁଟିଂ ସମୟରେ ସେମାନେ ପରସ୍ପରର ନିକଟତର ହୋଇଥିଲେ। ବୟସରେ ୨୭ ବର୍ଷ ସାନ ଥିବା ସତ୍ତ୍ୱେ ଧର୍ମେନ୍ଦ୍ରଙ୍କୁ ଭଲପାଇ ବସିଥିଲେ ଅନିତା। ଅଭିନେତା ମଧ୍ୟ ତାଙ୍କ ଫିଲ୍ମରେ ଅନିତାଙ୍କୁ ନାୟିକା ଭାବେ ନିଆଯାଉ ବୋଲି ସୁପାରିସ କରୁଥିଲେ।

କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଭଳି ଦିନେ ଏକଥା ଜାଣିବାକୁ ପାଇଥିଲେ ହେମା। ସେ ଭାଙ୍ଗି ପଡ଼ିବା ସହ ଧର୍ମେନ୍ଦ୍ରଙ୍କ ସହ ଏ ବିଷୟରେ ଟିକିନିକି ଭାବେ ଆଲୋଚନା କରିଥିଲେ। ପରେ ନିଜର ଭୁଲ ବୁଝି ଧର୍ମେନ୍ଦ୍ର ଅନିତାଙ୍କୁ ତାଙ୍କଠାରୁ ଦୂରେଇ ଯିବାକୁ କହିଥିଲେ। ଶେଷରେ ତାହା ହିଁ ହୋଇଥିଲା।

ତେବେ ଅନିତା ନିଜ ସମୟରେ ଖୁବ୍‌ ଲୋକପ୍ରିୟ ଥିଲେ। ୧୯୮୨ରେ ଫିଲ୍ମ ‘ପ୍ରେମ୍‌ ଗୀତ’ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ‘ଅଚ୍ଛା ବୁରା, ‘ଜାନ କି ବାଜି’, ‘ମୋହବତ୍‌ କି କସମ’, ‘ପ୍ୟାର କିୟା ହେ ପ୍ୟାର କରେଙ୍ଗେ’, ‘କରିସ୍ମା କୁଦରତ କା’ ଆଦିରେ ଅଭିନୟ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ତୁଟିବା ପରେ ସେ ୧୯୮୬ରେ ନିର୍ଦ୍ଦେଶକ ସୁନିଲ ହିଗୋରାନୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ରହିଛି। ଏବେ ସେ ଛୋଟ ପରଦାରେ ନଜର ଆସୁଛନ୍ତି।

Share