ବଡ଼ ପରଦାରେ ପୁଣି ଥରେ ଏକାଠି ଦେଖିବାକୁ ମିଳିବ ଦେଓଲ ପରିବାରର ଅଭିନୟ: ଫିଲ୍ମ‘ଅପନେ-୨’ ସ୍ବିକେଲ୍‌ର ଘୋଷଣା କଲେ ଧର୍ମେନ୍ଦ୍ର

ମୁମ୍ବାଇ: ଦେଓଲ ପରିବାରର ପାରିବାରିକ ଡ୍ରାମା ଫିଲ୍ମ ‘ଅପନେ’ର ସ୍ବିକେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ରବିବାର ଏକ ଟୁଇଟ ଜରିଆରେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ଭଗବାନଙ୍କ କୃପା ଓ ପ୍ରଶଂସକଙ୍କ ଶୁଭେଚ୍ଛା ଯୋଗୁ ଫିଲ୍ମ ‘ଅପନେ-୨’ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଫିଲ୍ମ ଆଧୁନିକ ଯୁଗକୁ ନେଇ ଆଧାରିତ ହେବ। ଆସନ୍ତା ବର୍ଷ ଏହା ପରଦାକୁ ଆସିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସୂଚନାଯୋଗ୍ୟ, ୨୦୦୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ଅପନେରେ ଧର୍ମେନ୍ଦ୍ରଙ୍କ ସମେତ ସନି ଦେଓଲ ଓ ବବି ଦେଓଲଙ୍କ ଅଭିନୟ ଏକାଠି ଦେଖିବାକୁ ମିଳିଥିଲା। ଏହି ଫିଲ୍ମର କାହାଣୀ ଏଭଳି ଜଣେ ହତାଶ ପିତାଙ୍କର, ଯିଏ ନିଜର ସ୍ବପ୍ନ ପୂରଣ କରିପାରନ୍ତିନାହିଁ। ଆଉ ଏହି ସ୍ବପ୍ନକୁ ନିଜ ପୁଅଙ୍କ ଜରିଆରେ ପୂରଣ କରିବାକୁ ଚାହାଁନ୍ତି। ଅର୍ଥାତ୍‌ ତାଙ୍କ ପୁଅ ବକ୍ସିଂ ଚାମ୍ପିୟନ୍‌ ହୁଅନ୍ତୁ ବୋଲି ସେ ଆଶା କରିଥାନ୍ତି। ଏଭଳି ଏକ ପାରିବାରିକ ଡ୍ରାମାକୁ ନେଇ ଏହି ଫିଲ୍ମ ଆଧାରିତ ହୋଇଥିଲା। ତେବେ ସେହି ସମୟରେ ଏହି ଫିଲ୍ମ ସୁପରହିଟ୍‌ ହୋଇଥିବା ବେଳେ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ ମଧ୍ୟ କରିଥିଲା।

Share