Categories: ଜାତୀୟ

ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୨।୩: ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ସ୍ବୀକୃତି ପ୍ରସଙ୍ଗ ଉପରେ ସୋମବାର ଲୋକ ସଭାରେ ଆଲୋଚନା ହୋଇଥିଲା। ଭିନ୍ନକ୍ଷମଙ୍କୁ ଶିକ୍ଷାଦାନ କରୁଥିବା ସ୍ବତନ୍ତ୍ର ଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିକ୍ଷା ମନ୍ତ୍ରଣାଳୟ ଏବଂ ଭାରତର ପୁନର୍ବାସ ପରିଷଦ ଅଧିକ ସଂଖ୍ୟାରେ ଏଭଳି ସ୍କୁଲ୍‌କୁ ସ୍ବୀକୃତି ଦେବା ପାଇଁ କୌଣସି ନୀତି ବିଷୟରେ ବିଚାର କରୁଛନ୍ତି କି ବୋଲି ଭୁବନେଶ୍ୱରର ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ପ୍ରଶ୍ନର ପ୍ରଶଂସା କରିବା ସହ ଏହାର ପରିଚାଳନା ଏକ ଚ୍ୟାଲେଞ୍ଜ ବୋଲି କହିଥିଲେ। ଦେଶରେ ଦିବ୍ୟାଙ୍ଗଙ୍କ ସଂଖ୍ୟା ୧୦ ପ୍ରତିଶତ। ଏଥିପାଇଁ ଆମ ସମସ୍ତଙ୍କୁ ଏକାଠି କାର୍ଯ୍ୟ କରିବାକୁ ହେବ। ନୀତି ନିର୍ଦ୍ଧାରଣରେ ଗୃହକୁ ସହାୟତା କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଥିଲେ। କିପରି ଅଧିକ ଭିନ୍ନକ୍ଷମ ସ୍କୁଲ ଓ ଶିକ୍ଷକ ସୃଷ୍ଟି ହେବେ ସେ ଦିଗରେ ବିଶେଷଜ୍ଞମାନେ କାର୍ଯ୍ୟ କରୁଛନ୍ତି। ଜାତୀୟ ଶିକ୍ଷାନୀତି ଅଧୀନରେ ନୀତି ନିର୍ଦ୍ଧାରଣରେ ସହାୟତା ଲାଗି ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ପ୍ରତିନିଧିଙ୍କୁ ସାମିଲ କରିବାକୁ କଂଗ୍ରେସ ଏମ୍‌ପି ତରୁଣ ଗୋଗୋଇ ପ୍ରସ୍ତାବ ଦେଇଥିଲେ। ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ଦେଶରେ ସାଙ୍କେତିକ ଭାଷାର ବିକାଶ ଲାଗି ସ୍ବତନ୍ତ୍ର ଉଦ୍ୟମ ହେଉଛି କି ବୋଲି କେରଳ ଏମ୍‌ପି ଇ.ଟି. ମହମ୍ମଦ ବଶୀର ପ୍ରଶ୍ନ କରିଥିଲେ। ଉଭୟ ପରାମର୍ଶ ଉପରେ ସରକାର କାର୍ଯ୍ୟ କରୁଥିବା ଧର୍ମେନ୍ଦ୍ର ଗୃହକୁ କହିଥିଲେ।

Share