କୃଷକଙ୍କୁ ସମର୍ଥନ ଘୋଷଣା କଲେ ଧର୍ମେନ୍ଦ୍ର

ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚାଷୀଙ୍କ ପାଇଁ ସେ ନ୍ୟାୟ ଦାବି କରିଛନ୍ତି। ସୋମବାର ଧର୍ମେନ୍ଦ୍ର ଟୁଇଟରରେ କୃଷକଙ୍କ ଫଟୋ ଶେୟାର କରି ଲେଖିଛନ୍ତି – ଆଜି ମୋର କୃଷକ ଭାଇମାନଙ୍କୁ ନ୍ୟାୟ ମିଳିଯାଉ। ମୁଁ ହୃଦୟରୁ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି। ନଭେମ୍ବର ୨୬ରୁ କୃଷକମାନେ ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସହ ୭ଥର ଆଲୋଚନା ହୋଇଛି। ସୋମବାର ପୁଣି ଥରେ କୃଷକ ନେତା ତଥା କେନ୍ଦ୍ର ମନ୍ତ୍ରୀ ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ସାକ୍ଷାତ କରିବେ। ଏହାପୂର୍ବରୁ ଧର୍ମେନ୍ଦ୍ର କୃଷକମାନଙ୍କୁ ସମର୍ଥନ କରି ଟୁଇଟ୍‌ କରି ଲେଖିଛନ୍ତି – କୃଷକ ଭାଇମାନଙ୍କ ଦୁଃଖ ଦେଖି ମୁଁ ବହୁତ ଦୁଃଖିତ। ସରକାର ଶୀଘ୍ର ସମାଧାନ କରିବା ଉଚିତ୍‌। ଧର୍ମେନ୍ଦ୍ର ଚାଷୀଙ୍କ ସମର୍ଥନରେ ଏକ ଟୁଇଟ ଡିଲିଟ କରି ଦେଇଥିଲେ। ଏହି ସମୟରେ ତାଙ୍କୁ ପ୍ରଶଂସକ ଟ୍ରୋଲ କରିଥିଲେ। ଏହାପୂର୍ବରୁ ଅନେକ ବଲିଉଡ୍‌ ତାରକା ଚାଷୀଙ୍କ ସମର୍ଥନରେ ଛିଡା ହୋଇଛନ୍ତି। ଦିଲଜିତ ଦୋସାଞ୍ଜ, ପ୍ରିୟଙ୍କା ଚୋପ୍ରା, ସୋନମ କପୁର, ସୋନୁ ସୁଦ, ଗିପି ଗ୍ରେଭାଲ, ତାପସି ପନ୍ନୁ, ରିତେଶ ଦେଶମୁଖ, ଜସବୀର ଜାସି, ଗୁରୁଦାସ ମାନ, ଖେସାରୀ ଲାଲ ଯାଦବଙ୍କ ଭଳି ଷ୍ଟାର ମଧ୍ୟ ଚାଷୀଙ୍କୁ ସମର୍ଥନ କରି ଟୁଇଟ୍‌ କରିଛନ୍ତି।

Share