ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ସ୍ବାଧିନତାର ୭୫ ବର୍ଷ ପରେ ଭୋଟର ତାଲିକା ଠିକ୍‌ ଭାବେ ପ୍ରସ୍ତୁତ ନ କରିପାରିବା ଚିନ୍ତା ଓ ପରିତାପର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି। ଧର୍ମେନ୍ଦ୍ର ମଙ୍ଗଳବାର ଟୁଇଟ୍‌ରେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଅନେକ ସ୍ଥାନରେ ଭୋଟର୍‌ ତାଲିକାରେ ତ୍ରୁଟି ଏବଂ ଯୋଗ୍ୟ ମତଦାତା ନିଜର ଗଣତାନ୍ତ୍ରିତ ଅଧିକାର ସାବ୍ୟସ୍ତ କରିବାରେ ଅସମର୍ଥ ହେବା ଖବର ଦୁଃଖଦାୟକ ଓ ଗଣତନ୍ତ୍ର ପାଇଁ ଶୁଭ ଖବର ନୁହେଁ। କିଛିଦିନ ପୂର୍ବରୁ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର କିଛି ବୁଥ୍‌ରେ ଡଙ୍ଗରିଆ ଭଉଣୀ,ଭାଇମାନଙ୍କ ପାଖରେ ଭୋଟ ପରିଚୟ ପତ୍ର ଥାଇ ମଧ୍ୟ ନିଜ ନାଁ ତାଲିକାରେ ସାମିଲ କରିବା ପାଇଁ ପ୍ରତିବାଦର ଦୃଶ୍ୟ ଦେଖି କଷ୍ଟ ଲାଗିଥିଲା। ଓଡିଶାର ବିଭିନ୍ନ ଜିଲାରେ ପଡୋଶୀ ରାଜ୍ୟଗୁଡିକ ସହ ଥିବା ସୀମା ବିବାଦ ଅଞ୍ଚଳର ଭଉଣୀ, ଭାଇମାନଙ୍କ ନାଁ ଭୋଟର ତାଲିକାରେ ନ ଥିବା ଯୋଗୁ ସେମାନଙ୍କ ପ୍ରତିବାଦର ସ୍ବର ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ଖାମଖିଆଲ ଓ ମନମୁଖୀ କାର୍ଯ୍ୟ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକମାନେ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେଉଛନ୍ତି। ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଏବଂ ଏହାକୁ ନିର୍ଭୁଲ କରିବା ପାଇଁ ଦାୟିତ୍ୱବାନ ଏବଂ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ୍‌। ପ୍ରାୟ ସବୁ ଜିଲାରେ ଭୋଟର ତାଲିକାରେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ତ୍ରୁଟି ଥିବା ଖବର ମିଳୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସମୀକ୍ଷା କରାଯାଉ ଏବଂ ଦୋଷୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗ ଓ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରୁଥିବା ଧର୍ମେନ୍ଦ୍ର କହିଛନ୍ତି।

Share