ଜନ୍ମମାଟିର ବିକାଶ ପାଇଁ ଧର୍ମେନ୍ଦ୍ର କିଛି କରିନାହାନ୍ତି: ବିଜେଡି

ଭୁବନେଶ୍ୱର,୨୭ା୬(ଅନିଲ ଦାସ): ଜନ୍ମମାଟି ଢେଙ୍କାନାଳ ଓ ଅନୁଗୋଳରବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଟାର୍ଗେଟ କରିଛି। ଗତ ୯ ବର୍ଷର କେନ୍ଦ୍ରମନ୍ତ୍ରିତ୍ୱ କାଳରେ ଏହି ଦୁଇଜିଲା ପାଇଁ ଧର୍ମେନ୍ଦ୍ର କିଛି କରି ନାହାନ୍ତି ବୋଲି ଢେଙ୍କାନାଳ ଏମ୍‌ପି ମହେଶ ସାହୁ କହିଛନ୍ତି ।
ଶଙ୍ଖ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଢେଙ୍କାନାଳ ଏବଂ ଅନୁଗୋଳ ଦେଇ ସାଧାରଣ ଜନତା, ରୋଗୀ, ଅଫିସ୍‌ ଯାଉଥିବା ଲୋକେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରୀଛାତ୍ରମାନେ ଯନ୍ତ୍ରଣା ଭୋଗୁଛନ୍ତି । ଏହାର ଉନ୍ନତି ପାଇଁ ୯ ବର୍ଷରେ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗତ ୯ ବର୍ଷ ମଧ୍ୟରେ ଢେଙ୍କାନାଳ ଓ ଅନୁଗୋଳ ଲୋକଙ୍କ ପାଇଁ ରେଲଓ୍ବେର କୌଣସି ବିକାଶ ହୋଇନାହିଁ । ଏହି ଦୁଇ ୨ ଜିଲାରୁ ରେଳବାଇ ସର୍ବାଧିକ ରାଜସ୍ବ ସଂଗ୍ରହ କରୁଛି। ତାଳଚେର-ବିମଳାଗଡ ରେଳପଥର ଅଗ୍ରଗତି ହୋଇପାରିଲା ନାହିଁ । ତାଳଚେର ରେଳଷ୍ଟେସନ ଏବେ ବି ମାଲବାହୀ ଷ୍ଟେସନ ହୋଇ ରହିଛି। ଟେଲି ଯୋଗାଯୋଗ ଏବଂ ବ୍ୟାଙ୍କିଙ୍ଗ୍‌ ସେବା ମଧ୍ୟ ଦୟନୀୟ । ଦେଶର ଶିକ୍ଷାମନ୍ତ୍ରୀ ହେବା ପରେ ଜିଲାରେ କେତେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଖୋଲାଯାଇଛି, ଶିକ୍ଷାମନ୍ତ୍ରୀ ହେବା ଦ୍ୱାରା ସେହି ଜିଲା କିପରି ଲାଭବାନ ହୋଇଛି। ଓଡ଼ିଶା ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତରଣ କରୁଛନ୍ତି ା ଆପଣ ନିଜ ଗାଁ ବିଦ୍ୟାଳୟକୁ ୫-ଟି ସ୍ତରୀୟ ବିଦ୍ୟାଳୟ ପରି ରୂପାନ୍ତରଣ କରିଛନ୍ତି କି ବୋଲି ମହେଶ କହିଛନ୍ତି।
ଢେଙ୍କାନାଳ-ଅନୁଗୋଳ ଅଞ୍ଚଳରେ କୌଣସି ନୂତନ ରାଷ୍ଟ୍ରାୟତ୍ତ ସଂସ୍ଥା (ପିଏସ୍‌ୟୁ) ଆରମ୍ଭ କରାଯାଇ ନାହିଁ। ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ ମଧ୍ୟ ଢେଙ୍କାନାଳକୁ ଗୋଟିଏ ପିଏସ୍‌ୟୁ ଆସିପାରି ନାହିଁ । ଢେଙ୍କାନାଳ-ଅନୁଗୋଳ ଅଞ୍ଚଳରେ ଲୋକମାନେ ଏମ୍‌ସିଏଲ୍‌ ଓ ନାଲ୍‌କୋ ପାଇଁ ଜମି ହରାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚାକିରି ମିଳିନାହିଁ । ଏମ୍‌ସିଏଲ୍‌ ତାଳଚେରରେ ଦୁର୍ନୀତି ହେଉଛି । ଏଥିପ୍ରତି କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏହାକୁ ରୋକିବା ପାଇଁ କ’ଣ କରିଛନ୍ତି। ଆଙ୍କାକ୍ଷା ଜିଲା ତାଲିକାରେ ଥିବା ଢେଙ୍କାନାଳ ଜିଲାରେ ମେଡିକାଲ କଲେଜଟିଏ ସ୍ବପ୍ନହୋଇ ରହିଗଲା । ନିର୍ବାଚିତ ହୋଇ ଆସିଥିବା ମଧ୍ୟପ୍ରଦେଶ ଏବଂ ବିହାର ପାଇଁ ଆପଣଙ୍କ ପ୍ରତିବଦ୍ଧତା ରହିଛି । ସେଥିପାଇଁ ଆପଣ ସେଠାରେ ଧ୍ୟାନ ଦେଉଛନ୍ତି । କିନ୍ତୁ ଆପଣ ଜନ୍ମ ହୋଇଥିବା ଢେଙ୍କାନାଳ-ଅନୁଗୋଳ ଜିଲାରେ କିଛି କରୁନାହାନ୍ତି ା ଯେତେବେଳେ ନିର୍ବାଚନ ଆସେ, ଏଠାକୁ ରାଜନୀତି କରିବାକୁ ଆସନ୍ତି ବୋଲି ମହେଶ କହିଛନ୍ତି  । ଏହି ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ ।

Share