ମେଟା ସହ ‘ଶିକ୍ଷାରୁ ଉଦ୍ୟମିତା’ ଇନିସିଏଟିଭର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୫ା୯(ସୁନିତ୍‌ ମିଶ୍ର):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀଠାରେ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ୩ ବର୍ଷିଆ ସହଭାଗିତା ‘ଶିକ୍ଷାରୁ ଉଦ୍ୟମିତା: ଏକ ପିଢ଼ିର ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଉଦ୍ୟମିତାଙ୍କୁ ସଶକ୍ତୀକରଣ କରିବା ଇନିସିଏଟିଭ୍‌କୁ ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ରାଷ୍ଟ୍ରୀୟ ଉଦ୍ୟମିତା ଏବଂ ଲଘୁ ବ୍ୟବସାୟ ସଂସ୍ଥା(ଏନଆଇଇଏସବିୟୁଡି), ଅଖିଳ ଭାରତୀୟ ବୈଷୟିକ ପରିଷଦ(ଏଆଇସିଟିଇ) ଓ ସିବିଏସ୍‌ଇ ମଧ୍ୟରେ ୩ଟି ପୃଥକ୍‌ ଲେଟର ଅଫ୍‌ ଇଣ୍ଟେଣ୍ଟ ସ୍ବାକ୍ଷର ହୋଇଛି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀ ଭାବେ ପ୍ରସ୍ତୁତ କରିବା ସହ ଭାରତର ଅମୃତ ପିଢ଼ିଙ୍କୁ ସଶକ୍ତ କରିବାରେ ଆଉ ଏକ ନୂଆ ପଦକ୍ଷେପ। ‘ଶିକ୍ଷାରୁ ଉଦ୍ୟମିତା’ ଏକ ଗେମ୍‌ ଚେଞ୍ଜର। ଏହା ଡିଜିଟାଲ କୌଶଳକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନେବ। ଭାରତରେ ଥିବା ପ୍ରତିଭା ଭଣ୍ଡାରର କ୍ଷମତା ବୃଦ୍ଧି କରିବ। ଛାତ୍ରୀଛାତ୍ର, ଯୁବବର୍ଗ, ମାନବ ସମ୍ବଳ, ଲଘୁ ଉଦ୍ୟୋଗୀଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ନିରନ୍ତର ଯୋଡ଼ି ରଖିବ। ଏହା ଅମୃତ ପିଢ଼ିଙ୍କୁ ଆଗାମୀ ଭବିଷ୍ୟତ ସମସ୍ୟା ସମାଧାନର ସୂତ୍ରଧର ଏବଂ ଉଦ୍ୟମୀ ଭାବେ ପରିଣତ କରିବ। ଭାରତର ଡେମୋକ୍ରାସି, ଡେମୋଗ୍ରାଫି ଏବଂ ଡାଇଭରସିଟିକୁ ଟେକ୍ନୋଲୋଜି ସହ ଯୋଡ଼ା ହେବ। ଏହାଦ୍ୱାରା ସମାଜରେ ପ୍ରଯୁକ୍ତିବିଦ୍ୟା ସମାନ ଭାବେ କାମ କରିବ ବୋଲି ସେ କହିଛନ୍ତି। ମେଟାର ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍‌ କ୍ଲେଗ ମାନବସମ୍ବଳ ଦିଗରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ଭାରତ ପ୍ରତିଭା ତଥା ଦ୍ରୁତ ଗତିରେ ଡିଜିଟାଲ ଗ୍ରହଣୀୟତା ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜିନିବେଶ କରିବା ପାଇଁ ଏକ ଅନୁକୂଳ ବାତାବରଣ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ।

Share