ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଭାଜପା ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ସୌଜନ୍ୟମୂଳକ ସାକ୍ଷାତ ସହ ନିର୍ବାଚନ ପାଇଁ ତାଙ୍କର ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଧର୍ମେନ୍ଦ୍ର।

ତେବେ ରାସେଶ୍ୱରୀ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସାକ୍ଷାତ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡି ରାଶେଶ୍ୱରୀଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ୍ ନଦେବାରୁ ସେ ଦଳ ଛାଡିଥିଲେ।

ଏକ ରାଜନୈତିକ ପରିବାରରୁ ଆସିଥିବା ଡା. ପାଣିଗ୍ରାହୀ ଗତ ଏକଦଶନ୍ଧି ଧରି ସମ୍ବଲପୁର ବିଜେଡି ରାଜନୀତିରେ ପ୍ରମୁଖ ଚେହେରା ଥିଲେ। ଭାଜପାର ଆଧିପତ୍ୟକୁ ପରାହତ କରି ୨୦୧୪ସାଧାରଣ ନିର୍ବାଚନରେ ସେ ଏଠାରୁ ହେବିଓ୍ବେଟ ଭାଜପାର ଜୟନାରାୟଣ ମିଶ୍ରଙ୍କୁ ହରାଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ଏଠାରୁ ବିଧାୟିକାଭାବେ ଲଢ଼ି ହାରି ଯାଇଥିଲେ ବି ଦଳୀୟ ସଙ୍ଗଠନକୁ ସୁଦୃଢ କରି ଚାଲିଥିଲେ। ଏତଦ୍‌ଭିନ୍ନ ଜଣେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ହିସାବରେ ସେ ଘରୋଇ ଭାବେ ଜନତାଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ।

୨୦୨୪ ସାଧାରଣ ନିର୍ବାଚନରେ ଡା. ପାଣିଗ୍ରାହୀ ସମ୍ବଲପୁର ବିଧାନସଭା ପାଇଁ ଆଶାୟୀ ଥିଲେ। ଏଥିପାଇଁ ସେ ବିଭିନ୍ନ ସମୟରେ ସଭାସମିତି ଆଦିରେ ଲୋକଙ୍କ ସହିତ ମିଶି ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତାଙ୍କର ସମର୍ଥକମାନେ ଡା. ରାସେଶ୍ୱରୀଙ୍କୁ ଟିକେଟ୍‌ ଦେବାକୁ ଖୋଲାଖୋଲି ଦାବି କରିଥିଲେ। ଏନେଇ ସେମାନେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋଭ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ବହୁ ସଂଖାରେ ସମର୍ଥକ ରାସେଶ୍ୱରୀଙ୍କୁ ଟିକେଟ୍‌ ଦାବିରେ ଶୋଭାଯାତ୍ରା ଆଦି ଆୟୋଜନ କରି ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲେ। ମାତ୍ର ତାଙ୍କୁ ସମ୍ବଲପୁରୁ ପ୍ରାର୍ଥୀ କରା ନଯାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ପ୍ରର୍ଥୀ ଘୋଷଣା କରାଗଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବାବେଳେ ଦଳର ଏହି ନିଷ୍ପତ୍ତିକୁ ନେଇ ତାଙ୍କ ସମର୍ଥକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

Share