ରତ୍ନଭଣ୍ଡାର ଖୋଲିବା ପରେ ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୪ା୭(ଅନିଲ ଦାସ)-ଦୀର୍ଘ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ରବିବାର ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ, ସନାତନ ସଂସ୍କୃତି ଓ ହିନ୍ଦୁ ଆସ୍ଥାର ସବୁଠାରୁ ବଡ଼ ପ୍ରତୀକ । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲି ମୁଖ୍ୟମନ୍ତ୍ରୀଙ୍କ ନବନିର୍ବାଚିତ ସରକାର ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ କରିଛନ୍ତି ।
ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷା ଏବଂ ରତ୍ନଭଣ୍ଡାରରେ ରଖାଯାଇଥିବା ଅଳଙ୍କାରର ଠିକ୍‌ ସୂଚନା ପାଇବା ଅନେକ ଦଶନ୍ଧି ଧରି ଜନସାଧାରଣଙ୍କ ଦାବି ରହିଥିଲା। ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ଅସ୍ମିତା ଓ ହିନ୍ଦୁ ଆସ୍ଥାକୁ ସମ୍ମାନ ଦେଇ ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ ଖୋଲିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Share