ଧର୍ମେନ୍ଦ୍ର କହିଲେ ବିଦେଶରେ ଭାରତୀୟଙ୍କ ସହିତ ରହିବା ମୋ’ ପାଇଁ…

ଭୁବନେଶ୍ୱର,୨୧।୧୦(ସୁନିତ୍‌ ମିଶ୍ର): ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷାକ୍ଷେତ୍ରରେ ସମ୍ପର୍କକୁ ମଜଭୁତ କରିବା ପାଇଁ ୭ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ରହୁଥିବା ଭାରତୀୟ ସମୁଦାୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରବାସୀ ଭାରତୀୟମାନଙ୍କ ଆତିଥେୟତାକୁ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, ବିଦେଶରେ ଭାରତୀୟଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହ ଭୋଜନରେ ସାମିଲ ହେବା ତାଙ୍କ ପାଇଁ ଖୁସିର ବିଷୟ। ସିଙ୍ଗାପୁର-ଭାରତ ଭାଗୀଦାରିକୁ ଅଧିକ ମଜଭୁତ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସେମାନେ ବାହାରେ ରହି ମଧ୍ୟ ଭାରତର ସଂସ୍କୃତିକୁ ପାଳନ କରୁଛନ୍ତି। ସିଙ୍ଗାପୁରର ପ୍ରଗତିରେ ତାଙ୍କ ଯୋଗଦାନ ଅନେକ ରହିଛି। ବର୍ତ୍ତମାନ ସମୟରେ ପୁଞ୍ଜିନିବେଶ ଏବଂ ସୁଯୋଗ ପାଇଁ ଭାରତ ହେଉଛି ବିଶ୍ୱର ସବୁଠୁ ଆକର୍ଷଣୀୟ ସ୍ଥାନ। ପ୍ରବାସୀମାନେ ଭାରତରେ ଥିବା ନିଜର ଆତ୍ମୀୟ ଏବଂ ସଂସ୍କୃତି ସହିତ ସବୁବେଳେ ଯୋଡ଼ିହୋଇ ରହିବା ସହ ଭାରତର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଭାରତ ଓ ସିଙ୍ଗାପୁରକୁ ଗର୍ବିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି। ସିଙ୍ଗାପୁରରେ ପ୍ରବାସୀଙ୍କ ସହ ଆଲୋଚନା କାଳରେ ଭାରତର ଯୁବକମାନଙ୍କୁ ଦକ୍ଷ କରିବାରେ ଜାତୀୟ ଶିକ୍ଷା ନୀତି-୨୦୨୦ର ଭୂମିକା ଏବଂ ଭାରତରେ ଶିକ୍ଷାର ବ୍ୟାପକତା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ଭାରତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ନେଇ କାମ କରିବା ତଥା ଏହାଦ୍ୱାରା ହେବାକୁ ଥିବା ବିକାଶ ଉପରେ ଚର୍ଚ୍ଚା କରିଛନ୍ତି। ସେହିପରି ୨୦୭୦ ସୁଦ୍ଧା ନେଟ୍‌ ଜିରୋ ଆଡ଼କୁ ଅଗ୍ରସର ହେବା ଏବଂ ବିଶ୍ୱ ସବୁଜ ଊର୍ଜା ମଡେଲକୁ ଆକାର ଦେବା ପାଇଁ ପ୍ରବାସୀଙ୍କ ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଭାରତର ଐତିହ୍ୟ ସହ ଜଡ଼ିତ ବିଷୟ ସହିତ ଯୋଡ଼ିହୋଇ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଧର୍ମେନ୍ଦ୍ର ପ୍ରବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସିଙ୍ଗାପୁର ଗସ୍ତ କାଳରେ ଧର୍ମେନ୍ଦ୍ର ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍‌, ଉପପ୍ରଧାନମନ୍ତ୍ରୀ ଗାନ୍‌ କିମ୍‌ ୟୋଙ୍ଗ୍‌, ଶିକ୍ଷା ମନ୍ତ୍ରୀ ଚାନ୍‌ ଚୁନ୍‌ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍‌ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share