ଜାତୀୟ ଶିକ୍ଷା ନୀତିକୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୩୦।୭(ସୁନିତ୍‌ ମିଶ୍ର):ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଆମ ଜନସଂଖ୍ୟାକୁ ସଶକ୍ତ କରିବା ତଥା ଦେଶର ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଆଶାର ପ୍ରତୀକ ଭାବେ ଉଭା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜାତୀୟ ଶିକ୍ଷା ନୀତି -୨୦୨୦ କ୍ରିୟାନ୍ବୟନର ୪ ବର୍ଷ ପୂର୍ତ୍ତି ହେବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଦେଶର ଛାତ୍ରୀଛାତ୍ର ସମୂହ, ଅଭିଭାବକ, ଶିକ୍ଷା ପରିବାରକୁ ଶୁଭେଚ୍ଛା। ନୂଆପିଢ଼ିର ବିଦ୍ୟାର୍ଥୀଙ୍କୁ ସଶକ୍ତ କରିବା ସହ ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦିଗରେ ଆରମ୍ଭ ହୋଇଥିବା ଯାତ୍ରାକୁ ୪ ବର୍ଷ ପୂରଣ ହୋଇଛି। ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଆମର ଶିକ୍ଷାକୁ ଅଧିକ ଜୀବନ୍ତ କରିଛି। ଭାରତର ଶିକ୍ଷାକୁ ଭବିଷ୍ୟତବାଦୀ କରିବା, ରୁଟେଡ୍‌, ବିଶ୍ୱସ୍ତରୀୟ ଏବଂ ଆଉଟକମ୍‌ ଆଧାରିତ କରିବା ପାଇଁ ଭାରତ ସରକାରଙ୍କ ପ୍ରଚେଷ୍ଟାକୁ ଶିକ୍ଷା ନୀତି ମାର୍ଗଦର୍ଶନ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଜାତୀୟ ଶିକ୍ଷା ନୀତିକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଅପରପକ୍ଷରେ ଜାତୀୟ ଶିକ୍ଷା ନୀତିର ୪ ବର୍ଷ ପୂର୍ତ୍ତି ଅବସରରେ ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଖିଳ ଭାରତୀୟ ଶିକ୍ଷା ସମାଗମ- ୨୦୨୪(ଏବିଏସ୍‌ଏସ୍‌) ପାଳନ ହୋଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ସୁକାନ୍ତ ମଜୁମଦାରଙ୍କ କରକମଳରେ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କ ମଧ୍ୟରେ ଭାରତୀୟ ଜ୍ଞାନ ପ୍ରଣାଳୀ(ଆଇକେଏସ୍‌)କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୪ଟି ପୁସ୍ତକ ଏବଂ ବକ୍ତୃତା ନୋଟ୍‌ ଉନ୍ମୋଚନ କରାଯାଇଛି।

Share