ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଭଳି ଅନ୍ୟ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଚିଠି ଲେଖିଛନ୍ତି। ଚିଠିରେ ସମଲେଶ୍ୱରୀ, ବିରଜା, ତାରାତାରିଣୀ ଓ ନୀଳମାଧବ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ଅନୁରୋଧ କରାଯାଇଛି। ଏଥିସହ ମନ୍ଦିରଗୁଡ଼ିକର ପରିଚାଳନା ପାଇଁ ସଶକ୍ତ କମିଟି ଗଠନ କରିବାକୁ ଧର୍ମେନ୍ଦ୍ର କହିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ୱରରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଆଇନ୍ ଆଣିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅଧ୍ୟାଦେଶ ଆଣିଛନ୍ତି। ଏହାଦ୍ୱାରା ମନ୍ଦିର କାର୍ଯ୍ୟଗୁଡ଼ିକର ଉତ୍ତମ ଏବଂ ସୁପରିଚାଳନା ହେବା ସହ ତୀର୍ଥଯାତ୍ରୀ ଭକ୍ତ ଓ ଉପାସକଙ୍କୁ ଉନ୍ନତ ମାନର ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି।