କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଏହାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ ଲାଗି ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ବିଶେଷକରି ଭୁବନେଶ୍ୱର ନିକଟରେ ଦ୍ୱିତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଓଡ଼ିଶାର ଶିକ୍ଷାବିତ୍‌ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ବିହାର ଏବଂ ଆନ୍ଧ୍ରପ୍ରଦେଶ ଭଳି ପଡୋଶୀ ରାଜ୍ୟ ସହ ତୁଳନା କରାଗଲେ ବିହାରରେ ୪ ଏବଂ ଆନ୍ଧ୍ରପ୍ରଦେଶରେ ୩ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି। ମାତ୍ର ଓଡ଼ିଶାରେ କେବଳ କୋରାପୁଟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଥିବାବେଳେ ଏହାଦ୍ୱାରା କେବଳ ଦକ୍ଷିଣ ଓଡ଼ିଶାର ଛାତ୍ରୀଛାତ୍ର ଲାଭ ପାଉଛନ୍ତି। ଭୁବନେଶ୍ୱର ଆଗାମୀ ଦିନରେ ପୂର୍ବ ଭାରତର ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରର ପେଣ୍ଠସ୍ଥଳି ହେବ। ଉକତ୍ଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଲେ ଉପକୂଳ ଏବଂ ପୂର୍ବ ଓଡ଼ିଶାର ଛାତ୍ରୀଛାତ୍ରମାନେ ଉପକୃତ ହେବା ସହ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହ ଶିଳ୍ପ ଓ ଶିକ୍ଷାବିତ୍‌ଙ୍କ ମଧ୍ୟରେ ସମନ୍ବୟ ତିଆରି ହେବା ସହ ଅତ୍ୟାଧୁନିକ ଗବେଷଣାକୁ ପ୍ରୋତ୍ସାହନ ଦେବ। ୭୫ ବର୍ଷର ଐତିହ୍ୟ ଏବଂ ପରମ୍ପରାର ଉକତ୍ଳ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ତଥା ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା, କଲ୍ୟାଣ ଏବଂ ଦେଶର ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ସଶକ୍ତ କରିବା ଜରୁରୀ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share