ଧର୍ମେନ୍ଦ୍ରଙ୍କ ବଡ଼ ଭବିଷ୍ୟବାଣୀ: ଯୁବରାଜଙ୍କ ସ୍ବପ୍ନ ରହିଯିବ ଅଧୁରା, ତୃତୀୟଥର ପାଇଁ ଭାଜପା…

ଭୁବନେଶ୍ୱର, ୧୩।୯(ସୁନିତ୍‌ ମିଶ୍ର):ହରିୟାଣାରେ ୩ୟ ଥର ପାଇଁ ଭାଜପା ସରକାର ଗଠନ କରିବ। ଭାଜପାକୁ ଭୋଟ ଦେବା ପାଇଁ ହରିୟାଣାର ଜନସାଧାରଣ ମନ ବଳାଇସାରିଛନ୍ତି ବୋଲି ଗୁରୁବାର ପାନିପତ ଏବଂ ସମଲଖା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲହେବା ସହ ନିର୍ବାଚନ ପ୍ରଚାର କରିବା ଅବସରରେ ହରିୟାଣା ଭାଜପାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ଧର୍ମେନ୍ଦ୍ର ଏକ ବିଶାଳ ଜନସଭାକୁ ସମ୍ବୋଧିତକରି କହିଛନ୍ତି, ଭାଜପା ପ୍ରାର୍ଥୀଙ୍କ ପାଇଁ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ, ଆଶୀର୍ବାଦ ଏବଂ ଜନ ସମର୍ଥନ ରହିଛି। ଗୋଟିଏ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଜନତାଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଅପରପକ୍ଷରେ ଦେଶକୁ ଅପମାନିତ କରୁଥିବା ଲୋକମାନଙ୍କୁ ହରାଇବା ପାଇଁ ଜନସାଧାରଣ ସଂକଳ୍ପ ନେଇସାରିଛନ୍ତି। ସଂରକ୍ଷଣ ବନ୍ଦ କରିବାର ସ୍ବପ୍ନ ଦେଖିଥିବା କଂଗ୍ରେସର ଯୁବରାଜଙ୍କ ଆଶା କେବେ ପୂରଣ ହେବନାହିଁ। କଂଗ୍ରେସର ଯୁବରାଜ ଓ ସେମାନଙ୍କ ପ୍ରାର୍ଥୀଙ୍କୁ ହରିୟାଣାବାସୀ କଡ଼ା ଜବାବ ଦେବେ। ସେ କହିଛନ୍ତି, ଏବେ ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ମୋଦି ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକରିବା ସହ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।

Share