ଅଗଷ୍ଟ ୧୫ ସୁଦ୍ଧା କୋଟିଏ ଗଛ ଲଗାଇବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଭୁବନେଶ୍ବର, ୨୨ା୭(ସୁନିତ୍‌ ମିଶ୍ର): ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ସଂକଳ୍ପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ କରିଛନ୍ତି।
ଧର୍ମେନ୍ଦ୍ର ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି, ପ୍ରକୃତି ଆମକୁ ଅନେକ କିଛି ଦେଇଛି। ଏଥିପାଇଁ ପ୍ରକୃତି ମାତାଙ୍କ ପାଖରେ ସବୁବେଳେ କୃତଜ୍ଞ। ବର୍ତ୍ତମାନ ସମୟରେ ଭବିଷ୍ୟତ ପିଢ଼ି ପାଇଁ ଆମ ପରିବେଶର ସୁରକ୍ଷା କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ। ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁସାରେ, ଜଳବାୟୁର ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କେବଳ ବୈଷୟିକ ପଦ୍ଧତି ଦ୍ୱାରା ସମାଧାନ ହୋଇପାରିବ ନାହିଁ। ଏହାର ନିରାକରଣ ନାଗରିକମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ସମ୍ଭବ ହୋଇପାରିବ। ଆମ ପାଖରେ ପ୍ରକୃତି ଅଛି ଏବଂ ପରିବେଶକୁ ପୁନରୁଦ୍ଧାର କରିବାର ଅପାର ଶକ୍ତି ମଧ୍ୟ ରହିଛି। ଧରାପୃଷ୍ଠକୁ ସୁସ୍ଥ ରଖିବା ପାଇଁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ଯୋଗଦାନ କରିବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ‘ମିଶନ ଲାଇଫ୍‌’ ଆଧାରରେ ସମସ୍ତେ ମିଳିତ ଭାବେ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ପଦକ୍ଷେପ ନେବା ଦରକାର। ଚଳିତ ମୌସୁମୀ ଋତୁରେ ସମସ୍ତେ ୧ କୋଟି ଗଛ ଲଗାଇବାର ସଂକଳ୍ପ ନେବା। ଚାରା ରୋପଣକୁ କେବଳ ନିଜ ଭିତରେ ସୀମିତ ରଖିବା ନାହିଁ, ଏକ ଜନ ଆନ୍ଦୋଳନରେ ପରିଣତ କରିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share