ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼ ଜିଲାରେ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ଶନିବାର ସନ୍ଧ୍ୟାରୁ ପ୍ରଚାର ଅବଧି ସରିବ। ଫଳରେ ଶୁକ୍ରବାର ଜିଲାର ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଥିଲା। କେନ୍ଦ୍ରମନ୍ତ୍ରୀ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବରଗଡ଼ ଜିଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ। ଭଟଲି ନିର୍ବାଚନମଣ୍ଡଳୀର ବରତୁଣ୍ଡା ଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଏବଂ ବିଜେପୁର ନିର୍ବାଚନମଣ୍ଡଳୀର ଗାଇସିଲେଟରେ ପ୍ରଚାର ସାରିବା ପରେ ସନ୍ଧ୍ୟାରେ ବରଗଡ଼ ସହରରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ’ ହୋଇଥିଲା। ସ୍ଥାନୀୟ ଭଜନାଶ୍ରମରୁ ରୋଡ୍‌ ଶୋ’ରେ ବାହାରି ସେ ଲେଙ୍ଗୁ ମିଶ୍ର ଛକ, ଥାନାଛକ, ଏସ୍‌ପି ଅଫିସ ଛକ ଦେଇ ଗାନ୍ଧୀଛକରେ ପହଞ୍ଚତ୍ଥିଲେ। ତାଙ୍କ ସହିତ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମେତ ଦଳର ବରଗଡ଼ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ଼ ବିଧାନସଭା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସହରବାସୀଙ୍କୁ ଭୋଟ ନିବେଦନ କରିଥିଲେ। ରୋଡ୍‌ ଶୋ’ ଚାଲିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଜନତାଙ୍କ ଭିଡ଼ ହୋଇଥିବାବେଳେ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ।

Share