ଭରିଗଲାଣି ଢେଙ୍କାନାଳ ରକ୍ତ ଭଣ୍ଡାର

ଢେଙ୍କାନାଳ ଅଫିସ,୬ା୬: ବାଲେଶ୍ୱର ଜିଲା ବାହାନାଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଚିକିତ୍ସାବେଳେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଢେଙ୍କାନାଳରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହେଉଛି। ପ୍ରଥମ ୨ଦିନ ମଧ୍ୟରେ ପ୍ରାୟ ୮୭୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ପ୍ରଥମ ଦିନ ଜିଲା ସାମ୍ବାଦିକ ସଂଘ ସଦସ୍ୟ ଓ ଅନ୍ୟ କେତେଜଣ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ସୌଜନ୍ୟରୁ ୩୦ ୟୁନିଟ୍‌, ରବିବାର ବଜରଙ୍ଗ କ୍ଲବ ଆହ୍ବାନରେ ୭୫୫ ୟୁନିଟ୍‌ ଓ ସୋମବାର ସାଇ ଶ୍ରୀକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ୮୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ସେହିପରି ବ୍ଲଡ ବ୍ୟାଙ୍କରେ ପୂର୍ବରୁ ୧୫୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ତେବେ ରକ୍ତଭଣ୍ଡାରରେ ୮୦୦ ୟୁନିଟ୍‌ରୁ ଅଧିକ ରକ୍ତ ରଖାଯିବାର ବ୍ୟବସ୍ଥା ନ ଥିବାବେଳେ ଆଗକୁ ଆଉ ପ୍ରାୟ ୬/୭ଟି ଅନୁଷ୍ଠାନ ପକ୍ଷରୁ ହେବାକୁ ଥିବା ରକ୍ତଦାନ ଶିବିରକୁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥଗିତ ରଖାଯାଇଛି। ଆବଶ୍ୟକ ହେଲେ ଏହି ଶିବିର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ଟ୍ରେନ ଦୁର୍ଘଟଣାଗ୍ରସ୍ଥ ଯାତ୍ରୀଙ୍କ ଚିକିତ୍ସା ପାଇଁ ରକ୍ତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଏହାପରେ ବହୁ ସଂଖ୍ୟାରେ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିପାଇଁ ଜିଲାପାଳ ସରୋଜ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟରେ କଟକ ଏସ୍‌ସିବି ମେଡିକାଲରେ ୧୭୦୦ରୁ ଅଧିକ ୟୁନିଟ୍‌ ରକ୍ତ ବର୍ତ୍ତମାନ ମହଜୁଦ ରହିଥିବା ବେଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ୧୦୦୦ରୁ ଅଧିକ ୟୁନିଟ୍‌ ରକ୍ତ ମହଜୁଦ ରହିଛି। ସେହିପରି ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅଧିକ ପରିମାଣରେ ରକ୍ତ ଗଚ୍ଛିତ ଅଛି। ତେଣୁ ଢେଙ୍କାନାଳରୁ ସଂଗୃହୀତ ରକ୍ତ ଉକ୍ତ ଚିକିତ୍ସାଳୟଗୁଡିକୁ ପଠାଯାଇ ପାରୁନାହିଁ। ଏହାକୁ ନଜରରେ ରଖି ବର୍ତ୍ତମାନ ପରିସ୍ଥିତିରେ ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହିଛନ୍ତି, ଢେଙ୍କାନାଳ ଜିଲା ରକ୍ତଭଣ୍ଡାରରେ ୮୦୦ ୟୁନିଟ୍‌ରୁ ଅଧିକ ରକ୍ତ ରହିବାର ବ୍ୟବସ୍ଥା ନାହିଁ। ସଂଗୃହୀତ ରକ୍ତରୁ ଗୋଟିଏ ସ୍ଲଟ୍‌ରେ ସମସ୍ତ ପ୍ରକାର ପରୀକ୍ଷା ପାଇଁ ୮୨ଟି ରକ୍ତ ପ୍ୟାକେଟ୍‌ ପରୀକ୍ଷା ହୋଇପାରିବ। ଏହାକୁ ଏଲିସା ଟେଷ୍ଟ କୁହାଯାଏ। ହଠାତ୍‌ ଏତେ ପରିମାଣରେ ମଧ୍ୟ ଅନ୍ୟସ୍ଥାନକୁ ସହଜରେ ଦେଇହେଉନାହିଁ। ଗୋଟିଏ ରକ୍ତ ପ୍ୟାକେଟ୍‌ ସଂଗ୍ରହ ହେବାର ଏକମାସ ପର୍ଯ୍ୟନ୍ତ ରହିପାରିବ। ତେଣୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଉକ୍ତ ଚିକିତ୍ସାଳୟ ଗୁଡିକରୁ ପ୍ରସ୍ତାବ ଆସିଲେ ଢେଙ୍କାନାଳରୁ ରକ୍ତ ପଠଯିବ। ବର୍ତ୍ତମାନ ବିଭିନ୍ନ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ରକ୍ତଦାନ ଶିବିରକୁ ସ୍ଥଗିତ ରଖାଯାଇଛି।

Share