ଢେଙ୍କାନାଳ ଅଫିସ,୭ା୪: ଢେଙ୍କାନାଳ ବରା ସମଗ୍ର ରାଜ୍ୟରେ ପ୍ରସିଦ୍ଧ। ସ୍ବାଧୀନତା ପୂର୍ବରୁ ଢେଙ୍କାନାଳ ପ୍ରସିଦ୍ଧ ବରା ଆଜି ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଢେଙ୍କାନାଳର ପାରମ୍ପରିକ ଖାଦ୍ୟ ବରାକୁ ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ପାଇଁ ବହୁବାର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି। ସନାତନ କ୍ୟାଲେଣ୍ଡର ଅନୁସାରେ ବୈଶାଖ ଋତୁର ପ୍ରଥମ ଦିନ ତଥା ଶୁକ୍ରବାର ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ୍ ପରିସରରେ ପ୍ରଥମ କରି ବରା ଦିବସ ପାଳନ ହୋଇଛି। ଦେଶୀ ବିରି, ଚାଉଳ, ଅଦା, କଞ୍ଚାଲଙ୍କା, ପିଆଜ ଆଦିକୁ ନେଇ ଭଲ ତେଲରେ ବରା ପ୍ରସ୍ତୁତ ହୋଇଥିଲା। ବରା ସାଙ୍ଗକୁ ଆଳୁଦମ୍ର ମଜା ନେଇଥିଲେ ସହରବାସୀ।
ଢେଙ୍କାନାଳ ସଚେତନ ନାଗରିକ ଫୋରମର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମ୍ପି ମହେଶ ସାହୁ ମୁଖ୍ୟଅତିଥି ଓ ନଗରପାଳ ଜୟନ୍ତୀ ପାତ୍ର, ଏସ୍ପି ଜ୍ଞାନ ରଞ୍ଜନ ମହାପାତ୍ର ଓ ସମବାୟବିତ୍ ଅକ୍ଷୟ ମହାନ୍ତି, ଜିଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦକ ଭରତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ସଂଖ୍ୟାରେ ସହରବାସୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବରା ଓ ଆଳୁଦମର ମଜା ନେଇଥିଲେ।