ମାଥିଲି,୩୧ା୮(ସୁବାଷ ଚନ୍ଦ୍ର ଖୁଡୁପିଆ )ଅନ୍ଧାରିମୂଲକର ଗଁା ମାଲକାନଗିରି ଜିଲାର ଢେପଗୁଡା। ବିକାଶଠାରୁ ବହୁ ରହିଛି ଦୂରରେ। ଦୁର୍ବିସହ ଜୀବନ ବିତାଉଛନ୍ତି ଗ୍ରାମବାସୀ। ଅଟକି ଯାଇଛି ବିକାଶ। ବଣ ପାହାଡକୁ ଏହି ଗଁା ଘେରି ରହିଛି। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଆଜି ପର୍ଯ୍ୟନ୍ତ ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସ୍ବାଧୀନତାର ଅନେକ ବର୍ଷ ବିତିଯାଇ ଥିଲେ ମଧ୍ୟ ସରକାରଙ୍କର ମୌଳିକ ସୁବିଧାରୁ ଅଞ୍ଚଳବାସୀ ବଞ୍ଚିତ। ଗଁାକୁ ଏବେବି କାଦୁଅ ରାସ୍ତା। ତାହା ମଧ୍ୟ କୋରାପୁଟ ଜିଲାକୁ ସଂଯଗ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୬ କିଲୋମିଟର ଦୂରରେ ଏହି ଗଁା। କେଉଁ ଅମଳରୁ ଏକ ରାସ୍ତା ନିର୍ମାଣ କରାଯାଇଥିଲା ତାହା ଏବେ ଘାସ ବୁଦାରେ ପରିଣତ ହୋଇଛି। ଚାଲିଯିବା ସମ୍ଭବ ହେଉ ନାହିଁ। ପଞ୍ଚାୟତ କାର୍ଯ୍ୟାଳକୁ ଯିବାକୁ ହେଲେ ନଈ ପାର ହେବାକୁ ପଡେ। ସେହିପରି ବ୍ୟାଙ୍କ, ତହସିଲ, ସ୍କୁଲ, କଲେଜ, ସାସ୍ଥ୍ୟକେନ୍ଦ୍ର ଓ ବ୍ଲକକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ନଈ ପାର ହୁଅନ୍ତି ଲୋକେ। ଭରା ନଈରେ ମହିଳାମାନେ ପିଠିରେ ଦୁଇ ତିନଟି ତୁମା ବାନ୍ଧି ଏକ ହଣ୍ଡା ସାହାଯ୍ୟରେ ନଈ ପାର ହୁଅନ୍ତି। ଗଁାର ରୋଗୀଙ୍କୁ କିମ୍ବା କୌଣସି ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଗଁା ଲୋକେ ଦୋଳା କରି ଟେକି ନଈ ପାର କରନ୍ତି। ଅନେକ ସମୟରେ ନଈ ପାର କରୁଥିବା ସମୟରେ ଜୀବନ ମଧ୍ୟ ଚାଲିଯାଇଥାଏ ନଚେତ ଛୁଆର ଜୀବନ ଚାଲି ଯାଇଥାଏ ବୋଲି ଗଁା ଲୋକେ କହିଛନ୍ତି। ଏପରି ଭାବରେ ବର୍ଷ ବର୍ଷ ଧରି ଜୀବନ ଯାପନ କରୁଛନ୍ତି ଲୋକେ। ଜୀବନ ଜୀବିକା ପାଇଁ ପ୍ରତି ଦିନ ଅକାତ କାତ ପାଣିରେ ନିଜ ଜୀବନକୁ ବାଜି ଲଗାଇ ନଈ ପାର ହେଉଛନ୍ତି। କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନାହିଁ। ଅନେକ ଥର ଜିଲା ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ଜଣାଇ ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। କେବଳ ଭୋଟ ସମୟରେ ପ୍ରଶାସନ ଏବଂ ନେତା ମନ୍ତ୍ରୀଙ୍କ ସୁଅ ଛୁଟେ ଗଁାରେ। ନୀରିହ ଆଦିବାସୀଙ୍କୁ ନାନା ପ୍ରକାର ପ୍ରତିଶୃତିରେ ପୋତି ପକାନ୍ତି। ଭୋଟ ସରିଗଲେ କୌଣସି ନେତାଙ୍କ ଦେଖା ମିଳେ ନାହିଁ ବୋଲି ଗ୍ରମବାସୀ କ୍ଷେଭର ସହ କହିଛନ୍ତି ା