Categories: ଖେଳ

ଧୀନିଧି, ଇଶାନଙ୍କ ଜାତୀୟ ରେକର୍ଡ

ଭୁବନେଶ୍ୱର,୧୮ା୮(ସରୋଜ ଜେନା):କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ କର୍ନାଟକର ଧୀନିଧି ଦେଶିଙ୍ଘୁ ଓ ଇଶାନ ମେହେରା ୧୦୦ ମିଟର ଫ୍ରିଷ୍ଟାଇଲରେ ଜାତୀୟ ରେକର୍ଡ ନିଜ ନାମରେ କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ମିଳିତ ଭାବରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି। କର୍ନାଟକର ୧୩ ବର୍ଷୀୟର ଧୀନିଧି ଦେଶିଙ୍ଘୁ ବାଳିକା ୧୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ୫୭.୬୭ ସେକେଣ୍ଡର ଟାଇମିଂ ସହିତ ଅଲିମ୍ପିଆନ ମାନା ପଟେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୪ ମସିହାରେ ମାନା ୫୯.୧୨ ସେକେଣ୍ଡର ସମୟ ନେଇଥିଲେ। ଅନ୍ୟ ସନ୍ତରଣକାରଙ୍କ ଅପେକ୍ଷା ୧୦ ମିଟର ଆଗରେ ରହିଥିଲେ ଧୀନିଧି। କର୍ନାଟକର ଶ୍ରୀ ଚରଣୀ ଟୁମୁ ୧:୦୨.୫୫ ସେକେଣ୍ଡର ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।
୧୦୦ ମିଟର ଫ୍ରି ଷ୍ଟାଇଲ ବାଳକ ବର୍ଗରେ ଏକ ଜାତୀୟ ରେକର୍ଡ ନିଜ ନାମରେ କରିଛନ୍ତି କର୍ନାଟକର ଇଶାନ୍‌ ମେହେରା। ଗ୍ରୁପ୍‌-୨ରେ ରହିଥିବା ଇଶାନ୍‌ ୧:୦୦.୬୪ ସେକେଣ୍ଡର ସମୟ ନେଇ ଜାତୀୟ ରେକର୍ଡ ନିଜ ନାମରେ କରିଥିଲେ। ୨୦୨୨ରେ ସୁହାସ ପ୍ରେଥମଙ୍କ ରେକର୍ଡକୁ ୧:୦୧.୨୯ ସେକେଣ୍ଡକୁ ପଛରେ ପକାଇଥିଲେ। କର୍ନାଟକର ବେଦାନ୍ତ ମାଧିର ୧:୦୧.୯୮ ସେକେଣ୍ଡର ଟାଇମିଂ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ।
ପ୍ରଥମ ଦିନରେ ଜାତୀୟ ରେକର୍ଡ ନିଜ ନାମରେ କରିଥିବା ଆସାମର ଜନଞ୍ଜୟ ଜ୍ୟୋତି ହଜାରିକା ୫୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ହଜାରିକା ୨୫.୧୨ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ଅନ୍ୟପକ୍ଷରେ ୨୫.୯୪ ସେକେଣ୍ଡର ଟାଇମିଂ ସହ ମହାରାଷ୍ଟ୍ରର ସଲିଲ ପ୍ରଶାନ୍ତ ବାଘପତ ରୌପ୍ୟ ପଦକ ହାସଲ କରିଥିଲେ।
ବାଳକ ୧୫୦୦ ମିଟର ଫ୍ରି ଷ୍ଟାଇଲରେ ମହାରାଷ୍ଟ୍ରର ରୋନକ ନିତିନ ସାଓ୍ବନ୍ତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରଥମ ୯୦୦ ମିଟର ଯାଏ ଆନ୍ଧ୍ର ପ୍ରଦେଶର ଗୋଟ୍ଟେଟି ସମ୍ପତ କୁମାର ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ପରେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। କର୍ନାଟକର ଏସ୍‌ ଦର୍ଶନ ରୌପ୍ୟ ପଦକ ହାସଲ କରିଥିଲେ। ଶେଷ ଲାପ୍‌ରେ ହିଁ ନିଜ ସ୍ପିଡ୍‌ ଜରିଆରେ ରୋନକ ସମସ୍ତଙ୍କୁ ପଛରେ ପକାଇଥିଲେ। ରୋନକ ୧୬:୨୭.୯୦ ସେକେଣ୍ଡର ସମୟ ନେଇଥିବା ବେଳେ ଦର୍ଶନ ୧୬:୨୮.୧୮ ଓ ସମ୍ପତ ୧୬:୩୧.୧୭ ସେକେଣ୍ଡର ସମୟ ନେଇଥିଲେ।
ବାଳକ ୪୦୦ ମିଟର ଫ୍ରିଷ୍ଟାଇଲରେ ରାଜସ୍ଥାନର ୟୁଗ ଚେଲାନି ୪:୩୬.୩୧ ସେକେଣ୍ଡର ସମୟ ନେଇ ପ୍ରଥମ ସ୍ଥାନରେ ଥିବା ବେଳେ ଆନ୍ଧ୍ର ପ୍ରଦେଶର ମୋଙ୍ଗାମ ଥିର୍ଡୁ ୪:୪୦.୬୫ ସେକେଣ୍ଡ ସହ ରୌପ୍ୟ ଓ ବେଙ୍ଗଲର ଶାଶ୍ୱତ ରୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Share