୩୫୩ କୋଟି ଜବତର ୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, ଟଙ୍କା ତାଙ୍କର ନୁହେଁ, କମ୍ପାନୀର…

ନୂଆଦିଲ୍ଲୀ,୧୫ା୧୨ :କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଓ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିବାର ୧୦ ଦିନ ପରେ ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ତାଙ୍କ ପରିବାର ବ୍ୟବସାୟ ସମ୍ଭାଳୁଥିଲେ। ତେଣୁ ଜବତ ହୋଇଥିବା ଟଙ୍କା ସହ ସେ ସିଧାସଳଖ ସମ୍ପୃକ୍ତ ନୁହନ୍ତି। ଉକ୍ତ ଟଙ୍କା ଚଢ଼ାଉ କରାଯାଇଥିବା କମ୍ପାନୀଗୁଡ଼ିକର ଥିଲା। ଟଙ୍କା ସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ସମ୍ପର୍କ ନ ଥିବା ସେ ସ୍ପଷ୍ଟ କରିଛନ୍ତି।

 

ଧୀରଜଙ୍କ ପରିବାର ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରି ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଉପରେ ଗତ ୬ ତାରିଖରୁ ଆୟକର ବିଭାଗ ଚଢ଼ାଉ ଜାରି ରଖିଥିଲା। ଏହି ଚଢ଼ାଉ ବେଳେ ୩୫୩.୫ କୋଟି ଟଙ୍କା ଜବତ ହୋଇଥିଲା, ଯାହାକି ଭାରତରେ କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ଗୋଟିଏ ଚଢ଼ାଉରେ ସର୍ବାଧିକ ଜବତ ଅର୍ଥରାଶି।
ଟଙ୍କା ଗଣି ଗଣି ମେଶିନ୍‌ଗୁଡ଼ିକ ଥକିପଡ଼ିଥିଲେ। ରେକର୍ଡ ପରିମାଣର ଅର୍ଥ ଜବତ, ଦୀର୍ଘ ସମୟର ଚଢ଼ାଉ ଏବଂ ଟଙ୍କାଭର୍ତ୍ତି ଆଲମିରାଗୁଡ଼ିକର ଭିଡିଓକୁ ବ୍ୟବହାର କରି ଭାଜପା କଂଗ୍ରେସକୁ ସମାଲୋଚନା କରିବା ସହ ଦୁର୍ନୀତିରେ ଲିପ୍ତ ଥିବା କହିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଉପରେ ଟୁଇଟ୍‌ କରିବା ସହ କଂଗ୍ରେସକୁ ସମାଲୋଚନା କରିଥିଲେ। ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧୀରଜ କହିଛନ୍ତି, ସେ ୩୫ ବର୍ଷ ଧରି ରାଜନୀତିରେ ଅଛନ୍ତି। ପ୍ରଥମ ଥର ଲାଗି ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲଗାଯାଇଛି। ତାଙ୍କ ପରିବାର ୧୦୦ ବର୍ଷ ହେଲା ମଦ ବ୍ୟବସାୟ କରୁଛନ୍ତି। ଜବତ ଟଙ୍କା ତାଙ୍କ କମ୍ପାନୀର। ସେ ରାଜନୀତିରେ ବ୍ୟସ୍ତ ଥିବାରୁ ବ୍ୟବସାୟ ଉପରେ ନଜର ଦେଇ ନ ଥାନ୍ତି। ପରିବାର ବ୍ୟବସାୟ ବୁଝିଥାଏ ବୋଲି ରାଜ୍ୟ ସଭା ସଦସ୍ୟ ଧୀରଜ କହିଛନ୍ତି। ସେ ୬ ଭାଇ ଓ ତାଙ୍କର ବଡ଼ ପରିବାର ବ୍ୟବସାୟ ସହ ଜଡ଼ିତ। ସେମାନଙ୍କ ପିଲାମାନେ ମଧ୍ୟ ବିଭିନ୍ନ କମ୍ପାନୀ ବୁଝାସୁଝା କରିଥାନ୍ତି। ସେମାନଙ୍କର ବ୍ୟବସାୟ ସ୍ବଚ୍ଛ। ଜବତ ଅର୍ଥ ମଦ ବିକ୍ରିରୁ ମିଳିଥିଲା। ଏଥିରେ କଂଗ୍ରେସ କିମ୍ବା ଅନ୍ୟ ଦଳର କିଛି କରିବାର ନାହିଁ ବୋଲି ଧୀରଜ କହିଛନ୍ତି।

Share