ପ୍ରଥମ ଅଧିନାୟକ ଭାବେ ଆଇପିଏଲ୍‌ରେ ଏହି ସଫଳତା ପାଇଲେ ଧୋନୀ

ଆବୁଧାବି, ୨୦।୯: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶନିବାରଠାରୁ ଆରମ୍ଭ ହୋଇଛି ଆଇପିଏଲ୍‌ର ୧୩ତମ ସଂସ୍କରଣ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟ୍‌ରେ ପରାସ୍ତ କରି ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍‌ ଜରିଆରେ ୪୩୭ ଦିନ ପରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ର ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରଥମ ଅଧିନାୟକ ଭାବେ ଧୋନୀ ଆଇପିଏଲ୍‌ରେ ଗୋଟିଏ ଫ୍ରାଞ୍ଚାଇଜ୍‌କୁ ୧୦୦ ମ୍ୟାଚ୍‌ ଜିତାଇବାର ସୌଭାଗ୍ୟ ଲାଭ କରିଛନ୍ତି।
ତାଙ୍କ ନେତୃତ୍ୱରେ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପର୍‌ କିଙ୍ଗ୍ସ ୧୬୧ ମ୍ୟାଚ୍‌ ଖେଳିସାରିଛି। ଯେଉଁଥିରେ ୧୦୦ ବିଜୟ ଓ ୬୦ ମ୍ୟାଚ୍‌ରେ ପରାଜୟବରଣ କରିଛି। ଧୋନୀଙ୍କ ବିଜୟ ପ୍ରତିଶତ ୬୦ରୁ ଅଧିକ ରହିଛି। ସେହିଭଳି ଧୋନୀ ଆଇପିଏଲ୍‌ରେ ୧୦୦ କ୍ୟାଚ୍‌ ନେବାର ମଧ୍ୟ ସଫଳତା ପାଇଛନ୍ତି। ଶନିବାର ସେ ଉଇକେଟ୍‌ ପଛରେ କିରନ ପୋଲାର୍ଡ ଓ କ୍ରୁନାଲ ପାଣ୍ଡ୍ୟାଙ୍କ କ୍ୟାଚ୍‌ ନେଇ ଏହି ତାଲିକାରେ ସାମିଲ ହୋଇଥିଲେ। ୧୦୦ କ୍ୟାଚ୍‌ ମଧ୍ୟରୁ ସେ ୯୫ଟି ଉଇକେଟ୍‌କିପର ଭାବେ ଧରିଥିଲେ।

Share