
ନୂଆଦିଲ୍ଲୀ,୭ା୪: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀ ଆଗାମୀ ବର୍ଷ ଆଇପିଏଲ୍ରେ ଖେଳିବେ କି ନାହିଁ, ସେ ନେଇ ନିଷ୍ପତ୍ତି ନେବା ଲାଗି ତାଙ୍କ ପାଖରେ ୧୦ ମାସ ସମୟ ରହିଥିବା କହିଛନ୍ତି। ଚଳିତ ଆଇପିଏଲ୍ରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଲାଗି ଲୋୟର ଅର୍ଡରରେ ବ୍ୟାଟିଂ କଲା ବେଳେ ସେଭଳି ପ୍ରଭାବୀ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ୪ ମ୍ୟାଚରେ ୭୬ ରନ କରିଥିବା ବେଳେ ତାଙ୍କ ଇନିଂସରେ ଟାଇମିଂ ଓ ପ୍ରଭାବର ଅଭାବ ଦେଖାଦେଉଛି। ଏଥିଯୋଗୁ ଅନେକ ପୂର୍ବତନ କ୍ରିକେଟର ଧୋନୀଙ୍କୁ କ୍ରିକେଟ ଛାଡ଼ି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି।
‘ମୁଁ ଏବେ ବି ଆଇପିଏଲ୍ରେ ଖେଳୁଛି। ବର୍ତ୍ତମାନ ମୁଁ ଥରେ କେ ଏକ ବର୍ଷ ଲାଗି ପ୍ରସ୍ତୁତ ହେଉଛି। ମୋତେ ଏବେ ୪୩ ବର୍ଷ। ଚଳିତ ବର୍ଷ ଆଇପିଏଲ୍ ଶେଷ ସୁଦ୍ଧା ମୋତେ ୪୪ ହେବ। ଏଣୁ ମୁଁ ଆଉ ଏକ ବର୍ଷ ଖେଳିବାକୁ ଚାହେଁ କି ନାହିଁ, ନିଷ୍ପତ୍ତି ନେବା ପାଇଁ ମୋ ପାଖରେ ୧୦ ମାସ ସମୟ ଅଛି। ଏହି ନିଷ୍ପତ୍ତି ମୋର ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ରୂପେ ମୋ ଶରୀର ଉପରେ ନିର୍ଭର କରେ। ମୁଁ ଖୁସି କି ଦୁଃଖରେ ଅଛି, ତାହା ଚର୍ଚ୍ଚାର ବିଷୟ ନୁହେଁ। ଯାହା ଘଟିଗଲା, ଘଟିଗଲା। ଏହାକୁ ବଦଳା ଯାଇପାରିବ ନାହିଁ। ସବୁ କିଛି ସ୍ବୀକାର କରି ଆଗକୁ ବଢ଼ିବାକୁ ପଡ଼େ। ଯାହା ବି ଘଟିଲେ ମୁଁ ଅନ୍ତର୍ଜାତୀୟ ସ୍ତରରେ କରିଥିବା ରନରେ ଆଉ ଏକ ରନ ଯୋଡ଼ିପାରିବି ନାହିଁ କିମ୍ବା କେହି ତାହାକୁ କମାଇପାରିବେ ନାହିଁ ବୋଲି ଧୋନୀ ଏକ ପଡକାଷ୍ଟରେ କହିଛନ୍ତି।