ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋ-ପାଳକ ସମ୍ମାନ ମିଳିଛି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା କୃଷକ ମେଳାରେ ଏହି ସମ୍ମାନ ରାଜ୍ୟ ବିଧାନସଭା ବାଚସ୍ପତି ରବୀନ୍ଦ୍ର ନାଥ ମାହାତୋ ଧୋନିଙ୍କୁ ପ୍ରଦାନ କରିଛନ୍ତି। ଧୋନିଙ୍କ ପାଖରେ ଏବେ ୭୩ ଗାଈ ରହିଛନ୍ତି। ସେଥିମଧ୍ୟରେ ଫ୍ରିଜିୟନ୍ ଏବଂ ସାହିଓ୍ବାଲ ପ୍ରଜାତିର ଗାଈ ରହିଛନ୍ତି। ଉତ୍ପାଦନ ହେଉଥିବା କ୍ଷୀର କାଉଣ୍ଟରରେ ବିକ୍ରି ହେଉଛି। ଫ୍ରିଜିୟନ୍ ପ୍ରଜାତି ଗାଈକ୍ଷୀର ଲିଟର ପିଛା ୫୫ ଟଙ୍କା ରହିଛି। ସେହିପରି ସାହିଓ୍ବାଲ ପ୍ରଜାତିର ଗାଈକ୍ଷୀର ଦାମ ୮୫ ଟଙ୍କା ରହିଛି। କ୍ଷୀରର ହୋମ୍ ଡେଲିଭରୀ ମଧ୍ୟ କରାଯାଉଛି।