ମୁମ୍ବାଇ,୨୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଏକ ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜିତ କରି ଦ୍ୱିତୀୟ ବିଜୟ ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ୩ ଉଇକେଟରେ ମ୍ୟାଚ୍କୁ ମୁମ୍ବାଇ ହାତରୁ ଚେନ୍ନାଇ ଛଡ଼ାଇ ଆଣିଥିବା ବେଳେ ପୁରା ଲୟରେ ନଜର ଆସିଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଫିନିସର ଭାବେ ସେ ଦମ୍ଦାର ପ୍ରଦର୍ଶନ କରିଥିଲେ। ଶେଷ ବଲରେ ଚୌକା ମାରି ସେ ଦଳକୁ ଜିତାଇଥିଲେ। ତାଙ୍କର ଏଭଳି ଶୈଳୀକୁ ଦେଖି ପୁରୁଣା ଦିନକୁ ମନେ ପକାଇଛନ୍ତି ପ୍ରଶଂସକ। ଏପରିକି କ୍ରିକେଟଜଗତର ଅନେକ ଦିଗ୍ଗଜ ତାଙ୍କର ଭୂରି ପ୍ରଶଂସା କରିଛନ୍ତି।
ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଓନ ଧୋନୀଙ୍କ ପ୍ରଶଂସା କରି ସେ ଶେଷ ଓଭରରେ ସର୍ବୋତ୍ତମ ହିଟ୍ର ବୋଲି କହିଛନ୍ତି। ବନ୍ଧୁ ତଥା କ୍ରିକେଟର ସୁରେଶ ରାଇନା ଧୋନୀ ବହୁତ ସୁନ୍ଦର ଖେଳିଥିବା କହିଛନ୍ତି। ସେହିଭଳି ପୂର୍ବ ଭାରତୀୟ ଦ୍ରୁତ ବୋଲର ଆର୍ ପି ସିଂ ଧୋନୀଙ୍କୁ ସନ୍ୟାସ ନିୟମ ଭାଙ୍ଗି ଆଗାମୀ ଟି-୨୦ ବିଶ୍ୱକପ୍ ଖେଳିବାକୁ ଅପିଲ କରିଛନ୍ତି। ମ୍ୟାଚ୍ ପରେ ଟୁଇଟ୍ କରି ସେ କହିଛନ୍ତି, ମହେନ୍ଦ୍ର ସିଂ ଧୋନୀଙ୍କୁ ନିବେଦନ କରୁଛି ଯେ ସେ ସନ୍ୟାସରୁ ପ୍ରତ୍ୟାବର୍ତ୍ତନ କରି ଟି-୨୦ ବିଶ୍ୱକପ୍ ଖେଳନ୍ତୁ। ’
କେବଳ ଏତିକି ନୁହେଁ କ୍ରିକେଟଜଗତ ସହ ଜଡ଼ିତ ବିରେନ୍ଦ୍ର ସେହ୍ବାଗ, ଶ୍ରୀକାନ୍ତ,ଓ୍ବାସିମ ଜାଫର, ରସିଦ ଖାନ୍ଙ୍କ ସହ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଧୋନୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।