Categories: ଖେଳ

ଧୋନୀଙ୍କ କ୍ରିକେଟ ଜୀବନ:ରନ୍‌ ଆଉଟ୍‌ରୁ ଆରମ୍ଭ-ରନ୍‌ ଆଉଟ୍‌ରେ ଶେଷ

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୧୬ ବର୍ଷର କ୍ରିକେଟ କ୍ୟାରିଅର ବେଶ୍‌ ରୋମାଞ୍ଚକର ଥିଲା। କ୍ରିକେଟ ଖେଳରେ ପ୍ରଥମ ମ୍ୟାଚ୍‌ରେ ସେ ରନ୍‌ଆଉଟ୍‌ ହୋଇଥିଲେ। ସେହିପରି କ୍ୟାରିଅରର ଶେଷ ମ୍ୟାଚ୍‌ରେ ମଧ୍ୟ ଧୋନୀ ରନ୍‌ଆଉଟ୍‌ ହୋଇଥିଲେ। ୨୩ ଡିସେମ୍ବର ୨୦୦୪ରେ ଧୋନୀଙ୍କ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ପ୍ରତିପକ୍ଷ ବାଂଲାଦେଶ ସହିତ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଧୋନୀ। ମହମ୍ମଦ କୈଫ୍‌ଙ୍କ ସହିତ ଖେଳିବାକୁ ଡ୍ରେସିଂ ରୁମ୍‌ରୁ ଲମ୍ବା କେଶ ରଖିଥିବା ଯୁବକ ଧୋନୀ ପଡ଼ିଆକୁ ଓହ୍ଲାଇଥିଲେ। କୈଫ୍‌ଙ୍କ ରନ୍‌ କଲ୍‌ରେ ସେ ଆଗକୁ ବଢ଼ିଥିଲେ। ତେବେ କୈଫ୍‌ ପୁଣି ମନା କରିଥିଲେ। ଫଳରେ ଧୋନୀ ଆଉ କ୍ରିଜ୍‌କୁ ଫେରି ପାରି ନ ଥିଲେ। ରନ୍‌ଆଉଟ୍‌ ହୋଇ ଡ୍ରେସିଂ ରୁମ୍‌କୁ ଫେରିଥିଲେ। ସେହିପରି ଶେଷଥର ପାଇଁ ବିଶ୍ୱକପ୍‌ର ଅନ୍ତର୍ଜାତୀୟ ଏକଦିବସୀୟ ସେମିଫାଇନାଲ ମ୍ୟାଚ୍‌ ସେ ୨୦୧୯ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଖେଳିଥିଲେ। ୭୨ ବଲ୍‌ରେ ୫୦ ରନ୍‌ ସଂଗ୍ରହ କରିଥିଲେ। ତେବେ ଦୁଇ ରନ୍‌ କରିବା ଲୋଭରେ ସେ ରନ୍‌ଆଉଟ୍‌ ହୋଇଯାଇଥିଲେ। ଏହାପରେ ଭାରତ ମ୍ୟାଚ୍‌ ହାରିବା ସହିତ ବିଶ୍ୱକପ୍‌ରୁ ବିଦାୟ ମଧ୍ୟ ନେଇଥିଲା।