ସାରା ଦେଶରେ ଦଶହରା ବେଶ୍ ଧୁମ୍ଧାମ୍ରେ ପାଳିତ ହେଉଥିଲେ ହେଁ, ପଶ୍ଚିମବଙ୍ଗର ଏହା ମୁଖ୍ୟ ପର୍ବ। ଏଠାରେ ମା’ ଦୁର୍ଗାଙ୍କର ବହୁ ପୁରାତନ ପରମ୍ପରା ଦେଖିବାକୁ ମିଳେ। ସେଥିମଧ୍ୟରୁ ଗୋଟିଏ ହେଉଛି ଧୁନୁଚି ନୃତ୍ୟ। ଦୁର୍ଗା ପୂଜା ପଣ୍ଡାଲରେ ହେଉଥିବା ଏହି ନୃତ୍ୟକୁ ଦେଖିଲେ ସମସ୍ତଙ୍କ ନଜର ଅଟକିଯାଏ। କେବେ ଦୁଇ ହାତରେ ତ କେବେ ପାଟିରେ ଧୁନୁଚିକୁ ଧରି ନୃତ୍ୟ କରନ୍ତି ଉଭୟ ପୁରୁଷ ଓ ମହିଳା। ଧୁନୁଚିର ଉତ୍ତାପ, ସେଥିରୁ ନିର୍ଗତ ଧୁଆଁର ପ୍ରଭାବ ବି ପଡି ନ ଥାଏ ନୃତ୍ୟ କରୁଥିବା ମଣିଷ ଉପରେ। କାରଣ ମନରେ ତାଙ୍କର ଥାଏ ମା’ଙ୍କ ପ୍ରତି ଭକ୍ତି ଓ ସମର୍ପଣ ଭାବ। ବିନା ତାଲିମ୍ରେ ପରିବେଷଣ ହେଉଥିବା ଏହି ନୃତ୍ୟ ମନରେ ଉର୍ଜା ଭରିଥାଏ। ଶ୍ରଦ୍ଧା ଓ ପରମ୍ପରାର ଏକ ସୁନ୍ଦର ମିଶ୍ରଣ ହେଉଛି ଏହି ନୃତ୍ୟ।
ତିଆରି ଧୁନୁଚି(ଝୁଣାଦାନୀ)ରେ ନଡିଆ କତା, ଜଳନ୍ତା କୋଇଲା, କର୍ପୁର ଓ କିଛି ହବନ ସାମଗ୍ରୀ ପକାଇ ଜଳାଯାଇ ଧୂଆଁ କରାଯାଇଥାଏ। ଆଉ ଶ୍ରଦ୍ଧାଳୁମାନେ ସେହି ଧୁନୁଚିରେ ଥିବା ମାଟିର ହ୍ୟାଣ୍ଡେଲକୁ ଧରି ଢୋଲ ନଗାଡାର ତାଳେ ତାଳେ ନୃତ୍ୟ ପରିବେଷଣ କରନ୍ତି। ଅପୂର୍ବ ସନ୍ତୁଳନର ଦୃଶ୍ୟ ଦେଖିବାକୁ ମିଳେ ଏହି ନୃତ୍ୟରେ। କିଏ ଦୁଇ ହାତରେ ଧୁନୁଚି ଧରି ବିଭିନ୍ନ ପ୍ରକାରର ହସ୍ତ ଚାଳନା କରି ନୃତ୍ୟ କରନ୍ତି ତ କିଏ ପାଟିରେ ଧୁନୁଚି ଧରି ପୁଣି କିଏ ଥୋଡି ଉପରେ ଧୁନୁଚିକୁ ସନ୍ତୁଳନ ରକ୍ଷା କରି ରଖି ନୃତ୍ୟ କରନ୍ତି। ବିଶ୍ୱାସ କରାଯାଏ ଏହି ନୃତ୍ୟ ମା’ ଭବାନୀଙ୍କ ଶକ୍ତି ବୃଦ୍ଧି ପାଇଁ କରାଯାଇଥାଏ। ପୌରାଣିକ କଥା ଅନୁସାରେ ବଳଶାଳୀ ମହିଷାସୁରକୁ ମାରିବା ପାଇଁ କୌଣସି ଦେବତାଙ୍କ ପାଖରେ ଶକ୍ତି ନ ଥିଲା। ଏଣେ ମହିଷାସୁରର ଆତଙ୍କ ବଢି ବଢି ଚାଲିଥିଲା। ଏଥିରେ ସବୁ ଦେବଗଣ ଚିନ୍ତିତ ହୋଇପଡିଥିଲେ। ଆଉ ମା’ଙ୍କ ସ୍ତୁତି କରିଥିଲେ। ମା’ ମହିଷାସୁରର ବଦ୍ଧ କରିବା ପାଇଁ ରାଜି ହୋଇଥିଲେ। କୁହାଯାଏ ମା’ ଦୁର୍ଗା ମହିଷା ସୁରକୁ ବଦ୍ଧ କରିବା ପୂର୍ବରୁ ଧୁନୁଚି ନୃତ୍ୟ କରିଥିଲେ। ଆଉ ଏହାପରଠାରୁ ହିଁ ଧୁନୁଚି ନୃତ୍ୟର ପରମ୍ପରା ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି। ଦୁର୍ଗା ପୂଜାରେ ସପ୍ତମୀଠାରୁ ଆରମ୍ଭ କରି ନବମୀ ପର୍ଯ୍ୟନ୍ତ ସନ୍ଧ୍ୟା ଅଳତୀ ସମୟରେ ଧୁନୁଚି ନୃତ୍ୟ ପରିବେଷଣ କରାଯାଇଥାଏ।