ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡ

ମୁମ୍ବାଇ: ବଲିଉଡ୍ ନାୟିକା ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡରେ ସମ୍ମାନୀତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦିଆଙ୍କୁ ଏହା ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍ତମ ଯୋଗଦାନ ପାଇଁ ଦିଆଯାଇଛି । ସେପ୍ଟେମ୍ବର ୩୦ରେ ମୁମ୍ବାଇର କୋଲାବା ସ୍ଥିତ ତାଜ ମହଲ ହୋଟେଲରେ ଆୟୋଜିତ ଏକ ସମାରୋହରେ ଏହା ଦିଆଯାଇଥିବା ଜଣାପଡିଛି । କୁହାଯାଉଛି କି ଏହି ସମ୍ମାନ ଇଣ୍ଟରଆକ୍ଟିଭ ଫୋରମ ଅନ୍ ଇଣ୍ଡିଆନ୍ ଇକୋନମି ସଂସ୍ଥା, ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି । ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରିଙ୍କ ହାତରୁ ଦିଆ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଆଙ୍କୁ ଏହି ସମ୍ମାନ ୨୦୨୦ ବର୍ଷ ପାଇଁ ଦିଆଯାଇଛି । ସେ ଭାରତ ପାଇଁ ସଂଯୁକ୍ତ ରାଷ୍ଟ୍ର ପରିବେଶ ସଦ୍‌ଭାବନା ଦୂତ ରୂପେ ୨୦୧୭ରେ ବଛାଯାଇଥିଲେ । ଏବେ ତାଙ୍କର ଏହି କାର୍ଯ୍ୟକାଳକୁ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Share