ବିବାହ ସମୟରେ କନ୍ୟାଦାନ ପାଇଁ ମନା କରିଥିଲେ ଦିୟା, ନିଜେ କଲେ ଖୁଲାସା

ମୁମ୍ବାଇ : ଫେବୃୟାରୀ ୧୫ରେ ଅଭିନେତ୍ରୀ ଦିୟା ମିର୍ଜା ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସକାଳେ ଦିୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ବିବାହ ସମୟର କିଛି କଥା ଖୋଲାଖୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ବିବାହରେ କନ୍ୟାଦାନ ଉତ୍ସବ ହୋଇ ନ ଥିଲା କି ବିଦାୟ ହୋଇ ନ ଥିଲା। ସେ ନିଜେ ଏହି ନିଷ୍ପତ୍ତି ନେଇଥିଲେ ବୋଲି ପ୍ରଶଂସକମାନଙ୍କୁ କହିଛନ୍ତି।

ସେ କ୍ୟାପଶନ ଲେଖିଛନ୍ତି, ପରିବର୍ତ୍ତନର ସମୟ ଆସିଛି। ତାଙ୍କର ବୈଦିକ ବିବାହ ସମାରୋହ ଜଣେ ମହିଳା ପୂଜକଙ୍କ ଦ୍ୱାରା କରାଯାଇଛି। ଖାଲି ଏଥିକି ନୁହେଁ, ସେ କହିଛନ୍ତି ମହିଳାମାନେ ନିଜେ ନିଜର ନିୟମ ଗଢ଼ିବା ଦରକାର। ସମୟ ଥିଲା, ଏବେ ପରିବର୍ତ୍ତନର ସମୟ ଆସିଛି। ନାରୀ ହେଉଛନ୍ତି ଶକ୍ତି, ସାହସ ଏବଂ ବିଶ୍ୱାସର ପ୍ରତୀକ।

କନ୍ୟାଦାନକୁ ନେଇ ଦିୟା କହିଛନ୍ତି, ପିତାଙ୍କ ଦ୍ୱାରା ଗୋଟିଏ ଝିଅକୁ ସ୍ବାମୀ ସହ ପଠାଯାଇଥାଏ। ଯାହା ଦୂରେଇ ଦେବାର ଏକ ପରମ୍ପରା। ସେହିପରି ବିଦାୟ ସମୟ ମଧ୍ୟ କଷ୍ଟଦାୟକ। ବାପଘରୁ ଝିଅଟିକୁ ସବୁଦିନ ବିଦାୟ ନେବାକୁ ପଡ଼େ। ଯାହା ଆହୁରି କଷ୍ଟଦାୟକ। ତେଣୁ ସେ ଏହି ଦୁଇଟି ଉତ୍ସବ ପାଇଁ ନିଜେ ମନା କରିଥିଲେ।

Share