ଦିଆ ମିର୍ଜାଙ୍କୁ କରୋନା ଟିକା ନେବା ପାଇଁ ମନାକଲେ ଡାକ୍ତର: ଜାଣନ୍ତୁ କାହିଁକି

ମୁମ୍ବାଇ: ଭାତରରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ସରକାର ତ୍ୱରାନ୍ବିତ କରିଛନ୍ତି। ଇତିମଧ୍ୟରେ ଅନେକ ଲୋକ ନିଜର ଟିକାକରଣ କରାଇ ଏହି ଭୟାନକ ଭାଇରସ୍‌ ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଛନ୍ତି। ଏହି ଅଭିଯାନରେ ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ସାମିଲ ହୋଇଛନ୍ତି। କେତେଜଣ ଭାକ୍ସିନର ଦ୍ୱିତୀୟ ଡୋଜ୍‌ ନେଇସାରିଥିବା ବେଳେ ଆଉ କେତେକ ଟିକାକରଣ ପାଇଁ ଅପେକ୍ଷାରତ ଅଛନ୍ତି। ଏହି କ୍ରମରେ ବଲିଉଡ୍‌ ଅଭିନେତ୍ରୀ ଦିଆ ମିର୍ଜା ମଧ୍ୟ ଟିକାକରଣ ଅଭିଯାନରେ ସାମିଲ ହେବାକୁ ଇଛା ପ୍ରକାଶ କରିଛନ୍ତି। କିନ୍ତୁ ତାଙ୍କ ଡାକ୍ତର ଟିକା ନେବା ପାଇଁ ମନା କରିଛନ୍ତି ବୋଲି ସେ ଏକ ପୋଷ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। କାରଣ ଦିଆ ମିର୍ଜା ଓ ସ୍ବାମୀ ବୈଭବ ରେଖିଙ୍କ ଘରେ ଆଉ ଜଣେ ଅତିଥି ଆସିବାକୁ ଯାଉଛନ୍ତି। ଆଜ୍ଞା ହଁ ଅଭିନେତ୍ରୀ ଏବେ ଗର୍ଭବତୀ ଅଛନ୍ତି। ଏହି ସମୟରେ ସେ କରୋନା ଟିକାକରଣ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ହେଲେ ଡାକ୍ତର ତାଙ୍କୁ ଟିକା ନେବା ପାଇଁ ମନା କରିଦେଇଥିଲେ। କାରଣ ଭାରତରେ ଏପର୍ଯ୍ୟନ୍ତ କୌଣସି ଗର୍ଭବତୀ ମହିଳା କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଉପରେ ଟିକାର କ୍ଲିନିକାଲ ପରୀକ୍ଷା କରାଯାଇନାହିଁ। ତେଣୁ ଯେ ପର୍ଯ୍ୟନ୍ତ ପରୀକ୍ଷା କରାଯାଇନାହିଁ, ସେପର୍ଯ୍ୟନ୍ତ ଟିକାକରଣ ନ କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ବୋଲି ଦିଆ ଟୁଇଟ କରି ଜଣାଇବା ସହ ସମସ୍ତଙ୍କୁ ସଚେତନ କରାଇଛନ୍ତି।

Share