ଡାଇବେଟିସ୍‌ ରୋଗୀ ଓ ଖାଦ୍ୟପେୟ

ଡାଇବେଟିସ୍‌ ବା ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟି ଗଲାଣି। ଏପରି କି ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି ଅଭିହିତ କରାଯାଏ। ଡାଇବେଟିସ ରୋଗୀ କେତେକ ବିଷୟ ପ୍ରତି ନଜର ଦେବାକୁ ପଡିଥାଏ। ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏହି ରୋଗ ଜଟିଳ ସମସ୍ୟା ଧାରଣ କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡାଇବେଟିସ୍‌ ରୋଗୀ ଖାଇବା ପରେ ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ ନାହିଁ। ଏହା ମେଦବହୁଳତାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ଜଣେ ଡାଇବେଟିସ ରୋଗୀ ତଟକା ଫଳମୂଳ-ସେଓ, କମଳା ଆଦି ଖାଇଲେ ଭଲ। ହେଲେ ଏପରି ଫଳ ଅଧିକ ପରିମାଣରେ ନ ଖାଇବା ଭଲ। ଡାଇବେଟିସ୍‌ ରୋଗୀ ଦହି ଖାଇବା ପୂର୍ବରୁ ସେଥିରୁ ଲହୁଣି ଅଂଶକୁ ବାହାର କରି ଦିଅନ୍ତୁ। ସବୁବେଳେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଅଜୀର୍ଣ୍ଣ ସମସ୍ୟା ସୃଷ୍ଟି ହୋଇଥାଏ, ଯାହା ଡାଇବେଟିସ୍‌ ସମସ୍ୟାକୁ ଆହୁରି ବଢ଼ାଇଦିଏ। ପ୍ରତିଦିନ ସକାଳେ ଅତିକମରେ ଅଧଘଣ୍ଟାଏ ଚାଲନ୍ତୁ। ତା’ସହ ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ଏବଂ ବ୍ଲଡପ୍ରେସର ମାପି ନିଅନ୍ତୁ।