ଭୁବନେଶ୍ୱର, ୧୭ା୧୨: ଅନିୟମିତ ଜୀବନଶୈଳୀ ଯୋଗୁ ବିଶ୍ୱରେ ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହାକି ଚିନ୍ତାର କାରଣ ପାଲଟିଛି। ଆମେରିକାରେ ଏବେ ୧୬ନିୟୁତ ଲୋକ ଏହି ରୋଗର ଶିକାର ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨୫% ପ୍ରତିଶତଙ୍କ ଠାରେ ପାଦ ଜନିତ ବିଭିନ୍ନ ସମସ୍ୟା ଦେଖା ଦେଉଛି। ଡାଇବେଟିସ୍ ଯୋଗୁ ଶରୀରରେ ସ୍ନାୟୁ ଦୁର୍ବଳ ହୋଇଯାଏ। ଫଳରେ ଶରୀରରେ ବ୍ୟଥା ସୃଷ୍ଟି କରିଥାଏ। ବିଶେଷକରି ପାଦରେ ଶରୀରର ପ୍ରମୁଖ ଅଂଶ ଲିଭର, କିଡ୍ନୀ ଓ ପାନ୍କ୍ରିୟାସ୍ ସହ ଜଡ଼ିତ ସ୍ନାୟୁ ଏକତ୍ରିତ ହୋଇଥାଏ। ମଧୁମେହ ଯୋଗୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହେଉ ନ ଥିବାରୁ ଏହା ପାଦକୁ ଦୁର୍ବଳ କରି ପକାଏ। ଏପରି କି ପାଦରେ ସ୍ପର୍ଶ ବାରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୁଏ। ଅନେକ କ୍ଷେତ୍ରରେ ପାଦରେ ଖଣ୍ଡିଆ କିମ୍ବା ଘା’ ହେଲେ ତାହା ପ୍ରଥମେ ଜଣାପଡ଼େ ନାହିଁ ଏବଂ ସଂକ୍ରମଣର ଅଧିକ ସମ୍ଭାବନା ରହିଥାଏ। ତେଣୁ ପାଦର ଯତ୍ନ ନେବା ଆବଶ୍ୟକ ହୋଇପଡ଼ିଛି। ଏଥିପାଇଁ ଜର୍ମାନୀର ଭନ୍ ଓ୍ବେଲକ୍ସ କମ୍ପାନୀ ଡାଇବେଟିକ ଫୁଟ୍ ଓୟାର ବା ଜୋତା ପ୍ରସ୍ତୁତ କରିଛି, ଯାହାକି ପାଦକୁ ସୁରକ୍ଷା ଦେବା ସହ ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍ ରଖିବ॥