ନିଦ୍ରାହୀନତାର ନିଦାନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

କର୍ମକ୍ଲାନ୍ତ ଜୀବନରେ କେବଳ ସୁନିଦ୍ରା ହିଁ ମଣିଷକୁ ସୁଖ ଦିଏ। ବିଶିଷ୍ଟ ନାଟ୍ୟକାର ଓ କବି ସେକ୍ସପିଅରଙ୍କ ଭାଷାରେ ନିଦ୍ରା ହେଉଛି ”Sore labour’s bath/Balm of hurt munds“ ଅର୍ଥାତ୍‌ କର୍ମକ୍ଲାନ୍ତ ମଣିଷର ଯନ୍ତ୍ରଣା ଉପଶମକାରୀ, କ୍ଷତାକ୍ତ ମନ ପାଇଁ ମଲମ୍‌। ବିଶିଷ୍ଟ କବି ଫିଲିପ୍‌ ସିଡ୍‌ନୀ ମଧ୍ୟ ନିଦ୍ରାକୁ ଗରିବର ସମ୍ପଦ (the poor man’s wealth) ଭାବରେ ବର୍ଣ୍ଣନା କରିଛନ୍ତି। ନିଦ୍ରା ଆମର ସମସ୍ତ ଦୁଶ୍ଚିନ୍ତା ଓ ଉଦ୍‌ବେଗକୁ ଉପଶମ କରେ। ଜଣେ କୋଟିଏ ଟଙ୍କାର ପଲଙ୍କ ନିର୍ମାଣ କରିପାରେ, ମାତ୍ର ସେହି ପଲଙ୍କ ଉପରେ ଶୋଇ ଯଦି ତାଙ୍କୁ ନିଦ୍ରା ନ ହୁଏ ସେହି ମୂଲ୍ୟବାନ ପଲଙ୍କ ମୂଲ୍ୟହୀନ। ମନ ନିରୁଦ୍‌ବିଗ୍ନ ନ ଥିଲେ ସୁନିଦ୍ରା ସମ୍ଭବ ନୁହେଁ ଏବଂ ସୁନିଦ୍ରା ନ ହେଲେ ଜୀବନରେ ସୁଖ ସମ୍ଭବ ନୁହେଁ। ନିଦ୍ରା ସହ ସୁଖର ସମ୍ପର୍କ କେତେ ନିବିଡ଼ ତାହା ସୂଚେଇ ଦିଏ ରୋମର ଏକ କିମ୍ବଦନ୍ତୀ। ହେରା ହେଉଛନ୍ତି ପ୍ରାଚୀନ୍‌ ରୋମ ସଭ୍ୟତାର ଜଣେ ଅଗ୍ରଗଣ୍ୟା ଦେବୀ। ବିବାହ, ମାତୃତ୍ୱ ଆଦି ଅନୁଷ୍ଠାନ ସମୟରେ ଦେବୀ ହେରାଙ୍କ ଆଶିଷ କାମନା କରାଯାଏ। ଥରେ ବ୍ୟକ୍ତିଗତ କାର୍ଯ୍ୟରେ ଦେବୀଙ୍କ ପୂଜାରିଣୀ ନିଜ ଗାଁକୁ ଆସିଥାନ୍ତି। ଦେବୀଙ୍କ ବାର୍ଷିକ ଆରାଧନା ପର୍ବ ପାଖେଇ ଆସୁଥାଏ। ସେଦିନ ପୂଜାରିଣୀଙ୍କ ମନ୍ଦିରରେ ଉପସ୍ଥିତି ଅନିବାର୍ଯ୍ୟ ଥାଏ। ମାତ୍ର ପ୍ରାକୃତିକ ଦୁର୍ଯୋଗ କାରଣରୁ ପୂଜାରିଣୀ ମନ୍ଦିରରେ ପହଞ୍ଚି ପାରୁ ନ ଥାନ୍ତି। ପୂଜା ପୂର୍ବଦିନ ସେଠାରେ ପହଞ୍ଚିବା ପାଇଁ ପୂଜାରିଣୀ ଖୋଜିଲେ ଏକ ଘୋଡ଼ାଗାଡ଼ି। ମାତ୍ର ଗାଡ଼ି ମିଳିଲା ନାହିଁ। ପୂଜାରିଣୀ ତାଙ୍କର ଅନୁପସ୍ଥିତି ପାଇଁ ନିଜକୁ ଦୋଷୀ ମଣୁଥାନ୍ତି। ତାଙ୍କର ଦୁଇଜଣ ତରୁଣ ପୁଅ କ୍ଲିଓବିସ୍‌ ଓ ବେତାନ ମା’ଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଲେ। ସେମାନେ ପ୍ରସ୍ତାବ ଦେଲେ ରାସ୍ତାରେ ଘୋଡ଼ା ମିଳିବା ପର୍ଯ୍ୟନ୍ତ ସେମାନେ ନିଜେ ଗାଡ଼ିଟିକୁ ଟାଣିନେବେ। ପୂଜାରିଣୀ ସମ୍ମତ ହେଲେ ଓ ଯାତ୍ରା ଆରମ୍ଭ ହେଲାମାତ୍ର ରାସ୍ତାରେ ଘୋଡ଼ା ନ ମିଳିବାରୁ ସାରାରାତି ଦୁଇପୁଅ ଗାଡ଼ି ଟାଣି ସୂର୍ଯ୍ୟୋଦୟ ପୂର୍ବରୁ ମା’ଙ୍କୁ ମନ୍ଦିର ନିକଟରେ ପହଞ୍ଚାଇ ଦେଲେ। ମା’ ହେଲେ ଅତ୍ୟନ୍ତ ପ୍ରୀତ। ପୂଜା ସରିବା ପରେ ପୂଜାରିଣୀ ଦେବୀଙ୍କୁ ଏକ ବର ପ୍ରାର୍ଥନା କଲେ। କହିଲେ, ‘ମା! ମୋର ଏହି ପୁତ୍ରଦ୍ୱୟଙ୍କୁ ଏଭଳି ଏକ ବର ଦିଅ, ଯାହା ଫଳରେ ସେମାନେ ଆଜୀବନ କୌଣସି ଦୁଃଖ ଭୋଗିବେ ନାହିଁ। ଦେବୀ ହେରା କହିଲେ, ‘ତଥାସ୍ତୁ!’। ସଙ୍ଗେ ସଙ୍ଗେ ପୁତ୍ରଦ୍ୱୟଙ୍କୁ ନିଦ୍ରା ଘାରିବାରୁ ସେମାନେ ଦେବୀଙ୍କ ଆସନ ପଛ ପାଖରେ ସାରାଜୀବନ ଶୋଇଗଲେ। ଏହି କିମ୍ବଦନ୍ତୀର ବାର୍ତ୍ତା ନୁହେଁ ଯେ ଆମେ ସୁଖ ଭୋଗ କରିବା ପାଇଁ ଜୀବନ ସାରା ଶୋଇପଡ଼ିବା। ଏହି କିମ୍ବଦନ୍ତୀ ଯାହା ସୂଚାଉଛି ତାହା ହେଲା ସାଧାରଣ ଜୀବନରେ ସୁନିଦ୍ରା ହେଉଛି ଏକ ସୁଖକର ଅବସ୍ଥା। ଆଜିର ଆଧୁନିକ ମଣିଷ ଏହି ସୁନିଦ୍ରାରୁ ବଞ୍ଚତ୍ତ।
ଯେତେବେଳେ ମଣିଷର ଉଚ୍ଚାକାଂକ୍ଷା ଭୋଗବାଦ ଦ୍ୱାରା ପ୍ରେରିତ ହୁଏ, ସେତେବେଳେ ଜୀବନରୁ ସୁଖ ନିର୍ବାସିତ ହୋଇଯାଏ। ମଣିଷ ଅପର୍ଯ୍ୟାପ୍ତ ଧନ ଅର୍ଜନ କରେ, ମାତ୍ର ତା’ର ଭୟ ଥାଏ କାଳେ ରାଜା ତା’ର ବହୁକଷ୍ଟ ଅର୍ଜିତ ଧନକୁ ଅପହରଣ କରିନେବେ। ସେ ବିଳାସ ବ୍ୟସନରେ ବୁଡ଼ି ଭୋଗମୟ ଜୀବନଯାପନ କରେ ସିନା, ପ୍ରତ୍ୟେକ ମୁହୂର୍ତ୍ତରେ ସେ ଭୟ କରେ ସମ୍ଭାବ୍ୟ ରୋଗକୁ ା ସେ ପ୍ରଚଣ୍ଡ ଶକ୍ତିର ଅଧିକାରୀ ହେଲେ ମଧ୍ୟ ତା’ର ଶତ୍ରୁଭୟ ଥାଏ, କାରଣ ତା’ର ଅବଚେତନ ମନରେ ଆଶଙ୍କା ଥାଏ ଆଉ କେହି ଅଧିକ ବଳଶାଳୀ ଲୋକ ହୁଏତ ତାକୁ ବିରୋଧ କରିପାରେ। ଯିଏ ଶାରୀରିକ ସୌନ୍ଦର୍ଯ୍ୟକୁ ନେଇ ଗର୍ବ କରେ ସେ ମଧ୍ୟ ଭୟ କରେ ଜରାକୁ, କାରଣ ଦିନେ ବାର୍ଦ୍ଧକ୍ୟ ତା’ର ସମସ୍ତ ସୌନ୍ଦର୍ଯ୍ୟକୁ ଅପହରଣ କରିନେବ। ଜଣେ ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇ ମଧ୍ୟ ନିରୁହବିଗ୍ନ ରହିପାରେ ନାହିଁ, କାରଣ ତା’ର ମଧ୍ୟ ପ୍ରତିବାଦୀ ପ୍ରତି ଭୟଥାଏ। ଧନ, ଯୌବନ, ଶକ୍ତି, ପାଣ୍ଡିତ୍ୟ ସବୁକିଛି ମଣିଷକୁ ସାମୟିକ ସନ୍ତୋଷ ଦେଇପାରେ ମାତ୍ର ପରବର୍ତ୍ତୀ ସମୟରେ ଏହିସବୁ ମଣିଷ ପାଇଁ ଆଣେ ଦୁଃଖ, ଯନ୍ତ୍ରଣା ଓ ଭୟ। ତଦ୍ଦ୍ବାରା ମଣିଷ ଶାନ୍ତି ହରାଏ ଓ ବିନିଦ୍ର ରଜନୀ ଅତିବାହିତ କରେ। ଦୁଃଖ ଯନ୍ତ୍ରଣା ଓ ହତାଶା ସୀମା ଅତିକ୍ରମ କଲେ ସେ ଆମତ୍ହତ୍ୟା କରିବାକୁ କୁଣ୍ଠା ପ୍ରକାଶ କରେ ନାହିଁ। ଆଜି ଏହିଭଳି ଆମତ୍ହତ୍ୟାର ସଂଖ୍ୟା କମ୍‌ ନୁହେଁ। ତଥାପି ମଣିଷ ଭୋଗମୟ ଜୀବନଯାପନ କରି ବିନିଦ୍ର ରଜନୀ କଟାଉଛି ଓ ସୁଖରୁ ବଞ୍ଚତ୍ତ ହେଉଛି। ଉଚ୍ଚାକାଂକ୍ଷୀ ମଣିଷ କିପରି ବିନିଦ୍ର ରଜନୀ ଅତିବାହିତ କରି ଦୁଃଖ ଓ ଯନ୍ତ୍ରଣା ଜର୍ଜରିତ ହୁଏ ତା’ର ଏକ ସୁନ୍ଦର ଚିତ୍ର ସେକ୍ସପିଅର ଦେଇଛନ୍ତି ତାଙ୍କର କାଳଜୟୀ ନାଟକ ‘ମ୍ୟାକ୍‌ବେଥ’ରେ।
ସ୍କଟଲାଣ୍ଡ୍‌ର ରାଜା ଡନ୍‌କେନ୍‌ଙ୍କ ରାଜ୍ୟରେ ମ୍ୟାକ୍‌ବେଥ ଥିଲେ ଜଣେ ସେନାପତି ଓ ଏକ କ୍ଷୁଦ୍ର ଭୂଖଣ୍ଡ ଗ୍ଲାମିସ୍‌ର ଥେନ୍‌ (ରାଜପ୍ରଦତ୍ତ କ୍ଷୁଦ୍ର ଭୂଖଣ୍ଡର ସ୍ବତ୍ୱାଧିକାରୀ)। ଆଉ ଏକ ଭୂଖଣ୍ଡ କଡର୍‌ର ଥେନ୍‌ ମ୍ୟାକ୍‌ଡନ୍‌ୱାଲଡ଼୍‌ ରାଜାଙ୍କ ବିରୋଧରେ ବିଦ୍ରୋହ କରନ୍ତେ ମ୍ୟାକ୍‌ବେଥ୍‌ ସେହି ବିଦ୍ରୋହକୁ ଦମନ କରି ଯେତେବେଳେ ଫେରୁଥାନ୍ତି, ରାସ୍ତାରେ ତିନିଜଣ ଉଇଚ୍‌ (ଅତି ପ୍ରାକୃତିକ ଶକ୍ତିସମ୍ପନ୍ନ ସତ୍ତା) ତାଙ୍କୁ ଗ୍ଲାମିସ୍‌ର ଥେନ୍‌, କଡର୍‌ର ଥେନ୍‌ ଓ ପରବର୍ତ୍ତୀ ରାଜା ଭାବରେ ସମ୍ବୋଧନ କଲେ। ରାଜା ଡନ୍‌କେନ୍‌ ମ୍ୟାକ୍‌ବେଥଙ୍କ ବୀରତ୍ୱରେ ପ୍ରୀତ ହେଲେ ଓ ବିଦ୍ରୋହୀ ମ୍ୟାକ୍‌ଡେନ୍‌ୱାଲ୍‌ଡଙ୍କୁ ଫାଶୀ ଦଣ୍ଡାଦେଶ ଦେଇ ମ୍ୟାକ୍‌ବେଥ୍‌ଙ୍କୁ କଡର୍‌ର ଥେନ୍‌ ଘୋଷଣା କଲେ। ଚାହୁଁ ଚାହୁଁ ଦ୍ୱିତୀୟ ସମ୍ବୋଧନ ଫଳବତୀ ହେବାରୁ ମ୍ୟାକ୍‌ବେଥ୍‌ ସେମାନଙ୍କ ତୃତୀୟ ସମ୍ବୋଧନ ‘ପରବର୍ତ୍ତୀ ରାଜା’ କୁ ଏକ ଭବିଷ୍ୟତବାଣୀ ଭାବରେ ଗ୍ରହଣ କରିନେଲେ। ମାତ୍ର ପରବର୍ତ୍ତୀ ସମୟରେ ରାଜା ଡନ୍‌କେନ୍‌ ନିଜ ପୁତ୍ର ମାଲ୍‌କମ୍‌ଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରନ୍ତେ ତାହା ମ୍ୟାକ୍‌ବେଥଙ୍କ ରାଜାହେବା ପଥରେ ପ୍ରତିବନ୍ଧକ ଭାବରେ ଛିଡ଼ା ହେଲା ା ମ୍ୟାକ୍‌ବେଥ୍‌ ଥିଲେ ଉଚ୍ଚାଭିଳାଷୀ ା ଏଣୁ ଅପେକ୍ଷା କରିବାକୁ ତାଙ୍କ ଧୈର୍ଯ୍ୟ ରହିଲା ନାହିଁ। ରାଜା ଡନ୍‌କେନ୍‌ ତାଙ୍କ ପ୍ରାସାଦରେ ଅତିଥି ଭାବରେ ରାତ୍ରିଯାପନ କଲାବେଳେ ଶାୟିତ ଅବସ୍ଥାରେ ତାଙ୍କୁ ସେ ହତ୍ୟା କଲେ ଓ ସିଂହାସନ ଆରୋହଣ କଲେ। ତାଙ୍କ ବୀରତ୍ୱରେ ପ୍ରୀତ ହୋଇ ପୁରସ୍କୃତ କରିଥିବା ଓ ନିଜ ଘରେ ଅତିଥି ଥିବା ରାଜାଙ୍କୁ ହତ୍ୟା କରିବା ପାଇଁ ସେ ଦ୍ୱିଧା ପ୍ରକାଶ କରୁଥିଲେ, ମାତ୍ର ପତ୍ନୀଙ୍କ ପ୍ରରୋଚନା ଏତେ ପ୍ରଭାବଶାଳୀ ଥିଲା ଯେ ସେ ନିଜର ଉଚ୍ଚାକାଂକ୍ଷା ପୂରଣ କରିବା ପାଇଁ ହତ୍ୟା କରିବା ଲାଗି କୁଣ୍ଠିତ ନ ଥିଲେ। ପରେ ତାଙ୍କ ବିବେକ ତାଙ୍କୁ ଏଭଳି ଦଂଶନ କଲା ଯେ ସେ ଅନୁଭବ କଲେ ସତେ ଯେପରି କେହି ଜଣେ ଚିକତ୍ାର କରୁଛି ”Sleep no more! Glamis hath murdered sleep and therefore Cawder shall sleep no more, Macbeth shall sleep no more “ ଅର୍ଥାତ୍‌ ତୁମେ ଆଉ ଶୋଇପାରିବ ନାହିଁ ା ଗ୍ଲାମିସ୍‌ର ଥେନ୍‌ ନିଦ୍ରାକୁ ହତ୍ୟା କରିଛନ୍ତି, ତେଣୁ କଡର୍‌ର ଥେନ୍‌ ଆଉ ଶୋଇପାରିବ ନାହିଁ ା ମ୍ୟାକ୍‌ବେଥ୍‌ ଆଉ ଶୋଇପାରିବ ନାହିଁ। ସତକୁ ସତ ତା’ପରେ ଭୟ ଓ ତଜ୍ଜନିତ ଯନ୍ତ୍ରଣାରେ ଜର୍ଜରିତ ହୋଇ ଉଭୟ ମ୍ୟାକ୍‌ବେଥ ଓ ତାଙ୍କ ପତ୍ନୀ ଶୋଇ ପାରିନାହାନ୍ତି। ମ୍ୟାକ୍‌ବେଥ୍‌ ଆତଙ୍କିତ ହୋଇ ତାଙ୍କ ଆସନକୁ ଭୟମୁକ୍ତ କରିବା ପାଇଁ ଆହୁରି ଅନେକ ହତ୍ୟାକାଣ୍ଡ ଘଟାଇଛନ୍ତି ଓ ଶେଷରେ ଶତ୍ରୁ ହାତରେ ପ୍ରାଣ ଦେଇଛନ୍ତି ା ତାଙ୍କର ପତ୍ନୀ ଅନୁତାପାନଳରେ ଦଗ୍ଧୀଭୂତ ହୋଇ ବିନିଦ୍ର ରଜନୀ ବିତାଇଛନ୍ତି ଓ ମାନସିକ ଯନ୍ତ୍ରଣା ଭୋଗି ଶେଷରେ ଆମତ୍ହତ୍ୟା କରିଛନ୍ତି। ଏହା ହେଉଛି ସେକ୍ସପିଅରଙ୍କ ନାଟକରେ ନିଦ୍ରାହୀନ ଜୀବନର କରୁଣ ଚିତ୍ର।
ଆଜିକାଲି ବହୁଲୋକ ନିଦ୍ରାହୀନତାର ଶିକାର ହୋଇ ନିଦବଟିକା ଖାଇବାରେ ଅଭ୍ୟସ୍ତ। ଏହି ନିଦ ବଟିକା ସେମାନଙ୍କୁ ସାମୟିକ ଆଶ୍ୱସ୍ତି ଦେଇପାରେ, ମାତ୍ର ଏହା ନିଦ୍ରାହୀନତାର ନିଦାନ ଖୋଜିବାକୁ ହେବ। ମଣିଷ ମହତ୍‌ ଆକାଂକ୍ଷା ପୋଷଣ କରେ ା
ଲକ୍ଷ୍ୟ ପ୍ରତି ଆସକ୍ତ ହୋଇପଡ଼ିଲେ ସେ ନିଜ କାମନା ପୂରଣ ପାଇଁ ଦୃଢ଼ ସଂକଳ୍ପ ହୁଏ ା ମାତ୍ର କାମନା ପୂରଣ ନ ହେଲେ ମନରେ କ୍ରୋଧ ସୃଷ୍ଟି ହୁଏ ଓ ସେହି ଅବସ୍ଥାରେ ମଣିଷ ତା’ର ହିତାହିତ ଜ୍ଞାନ ହରାଏ ା ତା’ପରେ ସ୍ମୃତିବିଭ୍ରମ ସୃଷ୍ଟି ହୋଇ ବୁଦ୍ଧିଭ୍ରଷ୍ଟ ହୁଏ ଓ ଶେଷରେ ମଣିଷର ପତନ ଘଟେ ା
ସେଥିପାଇଁ ବୁଦ୍ଧ କହିଥିଲେ କାମନା ହିଁ ଦୁଃଖର କାରଣ। ମଣିଷ ମାତ୍ରେ କାମନା ରହିବ। ମାତ୍ର ଏଠାରେ ଆସକ୍ତିଜନିତ କାମନା କଥା କୁହାଯାଇଛି କାରଣ ଆସକ୍ତି ମଣିଷକୁ କାମନା ପୂର୍ତ୍ତି ପାଇଁ ପ୍ରେରିତ କରେ। ତେଣୁ ଭଗବଦ୍‌ଗୀତାରେ ନିରାସକ୍ତ କର୍ମ କରିବା ପାଇଁ ଉପଦେଶ ଦିଆଯାଇଛି। ନିରାସକ୍ତ କର୍ମ ଫଳ ଦ୍ୱାରା ପ୍ରଭାବିତ ହୁଏ ନାହିଁ। କର୍ମର ଫଳ ଆଶାନୁରୂପ ନ ହେଲେ ମଧ୍ୟ ମନ ପ୍ରଶାନ୍ତ ରହେ। ସୁନିଦ୍ରା ବ୍ୟାଘାତ ହୁଏ ନାହିଁ। ଏହି ସୁନିଦ୍ରା ହିଁ ସାଂସାରିକ ଜୀବନର ସୁଖକର ଅବସ୍ଥା।

ମୋ:୯୪୩୭୩୨୯୨୬୩