ବିବାଦରେ ଡାଏନାଙ୍କ ସାକ୍ଷାତ୍‌କାର

ଲଣ୍ଡନ, ୨୪ା୫: ପ୍ରିନ୍ସେସ୍‌ ଡାଏନାଙ୍କ ସହ ବିବାଦୀୟ ସାକ୍ଷାତକାରକୁ ନେଇ ତାଙ୍କ ଦୁଇ ପୁଅ ତଥା ବ୍ରିଟେନ ପ୍ରିନ୍ସ ଓ୍ବିଲିୟମ ଏବଂ ହ୍ୟାରିଙ୍କୁ ରବିବାର ବିବିସିର ପୂର୍ବତନ ଖବରଦାତା ମାର୍ଟିନ ବଶିର କ୍ଷମା ମାଗିଛନ୍ତି। କିନ୍ତୁ ଡାଏନାଙ୍କ ମୃତ୍ୟୁ ସହ ସାକ୍ଷାତକାରକୁ ଯୋଡ଼ାଯିବା ‘ଅଯୌକ୍ତିକ’ ବୋଲି ମାର୍ଟିନ କହିଛନ୍ତି। ବଶିର କହିଛନ୍ତି, ଡାଏନାଙ୍କୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ଇଣ୍ଟରଭିୟୁ ଦ୍ୱାରା ଡାଏନାଙ୍କ କୌଣସି କ୍ଷତି ହୋଇନାହିଁ। ତଥାପି ପ୍ରିନ୍ସ ୱିଲିୟମ୍‌ ଏବଂ ହ୍ୟାରିଙ୍କୁ ସେ କ୍ଷମା ମାଗୁଛନ୍ତି। ଅନ୍ୟପକ୍ଷରେ ତତ୍କାଳୀନ ବିବିସି ନିର୍ଦ୍ଦେଶକ ଟୋନି ହଲ୍‌ ଘଟଣାରେ ଦୁଃଖପ୍ରକାଶ କରି ନ୍ୟାଶନାଲ ଗ୍ୟାଲେରି ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି।
୧୯୯୫ରେ ଡାଏନା ଏବଂ ରାଜ ପରିବାର ମଧ୍ୟରେ ମତଭେଦ ନେଇ ଚର୍ଚ୍ଚା ହୋଇଥିଲା। ସେହି ସମୟରେ ମାର୍ଟିନ ବଶିର ଡାଏନାଙ୍କ ସହ ଏକ ସାକ୍ଷାତକାର ପାଇଁ ପ୍ରସ୍ତୁତି କରିଥିଲେ। ମାର୍ଟିନ ଏଥିପାଇଁ ଡାଏନାଙ୍କ ଭାଇ ଚାଲର୍‌ସ ସ୍ପେନ୍ସରଙ୍କୁ ପ୍ରଲୋଭିତ କରିଥିଲେ ଏବଂ ମିଛ ତଥ୍ୟ ଆଧାରରେ ଡାଏନାଙ୍କ ସାକ୍ଷାତକାର ନେଇଥିଲେ ବୋଲି ଅଭିଯୋଗ ଉଠିଥିଲା। ପାନାରୋମା ନ୍ୟୁଜ୍‌ ପ୍ରୋଗ୍ରାମବେଳେ ଏହି ସାକ୍ଷାତକାର ବ୍ରଡକାଷ୍ଟର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଥିଲା। କାମିଲା ପାର୍କର ବାଉଲ୍ସଙ୍କ ସହ ପ୍ରିନ୍ସ ଚାଲର୍‌ସଙ୍କ ସମ୍ପର୍କ ଥିବା ନେଇ ଡାଏନା ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜ ପରିବାରରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ସାକ୍ଷାତକାରକୁ ୨.୩ କୋଟି ଲୋକ ଦେଖିଥିଲେ। ୧୯୯୬ରେ ଡାଏନା ପ୍ରିନ୍ସ ଚାଲର୍‌ସଙ୍କୁ ଛାଡ଼ପତ୍ର ଦେଇଥିଲେ। ୧୯୯୭ରେ ଏକ କାର୍‌ ଦୁର୍ଘଟଣାରେ ୩୭ ବର୍ଷୀୟା ଡାଏନାଙ୍କ ମୃତ୍ୟୁ ହୋଇଥିଲା। ପରେ ପ୍ରିନ୍ସ ଚାଲର୍‌ସ କାମିଲାଙ୍କୁ ବିବାହ କରିଥିଲେ। ବିବିସି ପକ୍ଷରୁ ଘଟଣାର ଯାଞ୍ଚ କରାଯାଇଥିଲା। ଏଥିରେ ୫୮ ବର୍ଷୀୟ ମାର୍ଟିନଙ୍କୁ ଦୋଷୀ ପାଇବା ପରେ ବିବିସି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛି। ମାର୍ଟିନଙ୍କ ଏଭଳି କାର୍ଯ୍ୟ ପାଇଁ ମା’ଙ୍କ ଜୀବନ ଯାଇଥିବା ପ୍ରିନ୍ସ ଓ୍ବିଲିୟମ କହିଛନ୍ତି।

Share