ଭବାନୀପାଟଣା,୩ା୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ସେମେଲପଦର ଗ୍ରାମର କେନ୍ଦୁପଡ଼ାରେ ୨ ଦିନ ହେବ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୬ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ବୃଦ୍ଧ ଡମୁ ମାଝି ଓ ବୃଦ୍ଧା ସୁନାଙ୍ଗ ଦେଇ। ସେହିପରି ଆକ୍ରାନ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଥୁଆମୂଳରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଥିବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଜଣାପଡିଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟବିଭାଗର ଏକ ଟିମ୍ ଗ୍ରାମକୁ ଯାଇ ଅନୁଧ୍ୟାନ କରିବା ସହ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।